ତିହିଡି, ୦୫,୦୯: ବିଗତ ଛଅ ମାସ ହେଲା ମିଳୁନି ଆଇଜିଏନ ପେନସନ(ଇନ୍ଦିରା ଗାନ୍ଧି ନେସନାଲ ପେନସନ), ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୃଦ୍ଧ/ବୃଦ୍ଧା । ଉକ୍ତ ପେନସନ ହେଉଛି ସେମାନଙ୍କର ଏକମାତ୍ର ବିକଳ୍ପ । ସେଥିରେ ସେମାନଙ୍କର ମାସିକ ଔଷଧ ସମେତ ଅନ୍ୟାନ୍ୟ ଖର୍ଚ୍ଚ ଚଳି ଯାଉଥିଲା । ମାତ୍ର ପ୍ରଶାସନିକ ସ୍ତରରେ ତାହା ସଂପ୍ରତି ବନ୍ଦ ରହିଛି । ବାରମ୍ବାର ହାରିଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଅନ୍ୟ ପେନସନ୍ ଗୁଡିକ ପ୍ରାୟତଃ ମିଳୁଥିବା ବେଳେ ଏହି ଆଇଜିଏନପି ବର୍ଗର ବୃଦ୍ଧ/ବୃଦ୍ଧା ନାନାଦି ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ସେପଟେ ପଞ୍ଚାୟତ ପ୍ରଶାସନ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ । କେନ୍ଦ୍ର ସରକାରଙ୍କ ଯୋଜନା ସେଠାରୁ ଏମିତି ସମସ୍ୟା ହୋଇ କୁହାଯାଉଛି । ଏହାରି ମଧ୍ୟରେ ବୃଦ୍ଧ/ବୃଦ୍ଧା ଭାଗ୍ୟକୁ ଆଦରି ବସିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସିନ୍ଦୋଳ ମଲ୍ଲିକସାହିର ବୈରାଗୀ ନାୟକ, ବୟସ ପ୍ରାୟ ୮୭ ବହୁ କଷ୍ଟରେ ଚଳୁଥିବା ଅଭିଯୋଗ କରିଛନ୍ତି । ଆଖିକୁ ଦୁଶୁନି, କାନକୁ ଶୁଭୁ ନାହିଁ ଏବଂ ଗୋଡହାତ ମଧ୍ୟ ଚଳୁନାହିଁ । ବିଛଣାରେ ସର୍ବଦା ପଡି ରହୁଛନ୍ତି । ମାସିକ ଔଷଧ ଖର୍ଚ୍ଚ ଭରଣ କରିବା ଚିନ୍ତାରେ ସଂପ୍ରତି ଭାଙ୍ଗି ପଡିଲେଣି । ସେହିପରି ଜାନକୀ ସେଠୀ, ବୟସ ୯୨ । ବିନା ପେନସନରେ ଚଳିବ କଷ୍ଟକର ହେଉଥିବା ଦୁଃଖର ସହ କହିଛନ୍ତି । ସେମାନଙ୍କର ପରିବାର ଲୋକେ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁ ଥିଲେହେଁ କୌଣସି ପ୍ରଭାବ ପଡୁନାହିଁ । ଭାଗ୍ୟକୁ ଆଦରି ଭଗବାନଙ୍କୁ ସହାୟ ଲୋଡୁଛନ୍ତି । ଏ ସମ୍ପର୍କରେ ସରପଞ୍ଚ ସୁପ୍ରଭା ପାଣିଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିବା କହିଛନ୍ତି । ଏପରି ସମସ୍ୟା କେବଳ ବୈରାଗୀ ଓ ଜାନକୀଙ୍କ କ୍ଷେତ୍ରରେ ସୀମିତ ନାହିଁ ସାରା ରାଜ୍ୟରେ ଏପରି ଥିବା ଏବଂ ପର୍ଯ୍ୟାୟକ୍ରମେ ଏହାର ସମାଧାନ ହେଉଥିବା ପ୍ରଶାସନିକ ସୂତ୍ରରୁ ସେ ଜାଣିବାକୁ ପାଇଥିବା କହିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

