ତିହିଡି, ୦୫,୦୯: ଭଦ୍ରକ ଜିଲ୍ଲାରେ ପ୍ରଳୟକାରୀ ବନ୍ୟା ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଙ୍ଗଲ ବିଭାଗର ଚରମ ଅବହେଳା ଯୋଗୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଈଶ୍ୱରପୁର ଗ୍ରାମର ଦମ୍ପତି ଚାଷୀ ପରମାନନ୍ଦ ବାରିକ ଓ ତାଙ୍କ ସ୍ତ୍ରୀ ପ୍ରମିଳା ବାରିକ ବିଷାକ୍ତ ସାପ କାମୁଡିବା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ବନ୍ୟା ପରବର୍ତ୍ତର୍ୀ ସମୟରେ ବନ୍ୟା ପ୍ରପୀଡିତ ମାଟି ଘରଗୁଡିକରେ ବିଭିନ୍ନ ବିଷାକ୍ତ ସ।।ପ ମାଟି କାନ୍ଥରେ ଗାତ କରି ରହିଛନ୍ତି । ଏହାର ନିରାକରଣ ପାଇଁ ଓ ବିଷାକ୍ତ ସାପ ଗୁଡିକୁ ଧରିବା ପାଇଁ ଭଦ୍ରକ ଜିଲ୍ଲା ବନ ବିଭାଗକୁ ସାଧାରଣ ଜନତା ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକରୁ ଥିବାରୁ ପ୍ରତ୍ୟେକ ଦିନ ବନ୍ୟା ଅଞ୍ଚଳର ମାଟି ଘରେ ବାସ କରୁଥିବା ଲୋକେ ମୃତ୍ୟୁ ବରଣ କରୁଛନ୍ତି । ପ୍ରକାଶ ଥାଉକି, ଗତ ସେପ୍େଟମ୍ବର ୨ ତାରିଖ ରାତିରେ ଦମ୍ପତି ଖାଇପିଇ ଘରେ ଶୋଇଥିଲେ । ୩ ତାରିଖ ସକାଳେ ପ୍ରମିଳା ଅସୁସ୍ଥ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାଭାବିକ ମୃତ୍ୟୁ ବୋଲି ଭାବି ବିନା ଶବ ବ୍ୟବଚ୍ଛେଦରେ ମେଡିକାଲ କର୍ତ୍ତୃପକ୍ଷ ଛାଡି ଦେଇଥିଲେ ଏବଂ ସଂଧ୍ୟାରେ ଗାଁରେ ଶବ ସତ୍କାର କରାଯାଇଥିଲା । ରାତିରେ ତାଙ୍କ ସ୍ୱାମୀ ପରମାନନ୍ଦ ସେହି ଘରେ ଶୋଇଥିଲେ । ୪ ତାରିଖ ସକାଳେ ଅସୁସ୍ଥ ହୋଇଥିଲେ । ସ୍ତ୍ରୀ ପ୍ରମିଳାଙ୍କ ପରି ତାଙ୍କର ସମାନ ଲକ୍ଷ୍ୟଣ ଦେଖା ଯାଇଥିଲା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯିବା ପରେ ସେଠାରେ ପ୍ରଥମେ ତାଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା ଏବଂ ତାହା ବିଷାକ୍ତ ଥିବା ଜଣା ପଡିଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶୋଇବା ଘରେ ବିଷାକ୍ତ ସାପ କାମୁଡାରେ ସେ ମୃତ୍ୟୁ ବରଣ କରିଥିବା ଜଣା ଯାଇଥିଲା । ଏନେଇ ଭାଙ୍କି ପଡି ଯାଇଛନ୍ତି ପରିବାର ବର୍ଗ ଓ ଆତ୍ମିୟସୋଜନ । ସମାନ ଲକ୍ଷ୍ୟଣରେ ସ୍ତ୍ରୀ ପ୍ରମିଳାଙ୍କର ମୃତ୍ୟୁ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ । ସ୍ୱାମୀ ଶବ ମେଡିକାଲରେ ପଡି ରହିଥିବା ବେଳେ ସ୍ତ୍ରୀର ଶବକୁ ମାଟି ତଳୁ ଖୋଳାଯାଇ ପୂନଶ୍ଚ ଭଦ୍ରକ ନିଆଯାଇଥିଲା ଏବଂ ସେଠାରେ ଉଭୟଙ୍କର ଶବକୁ ୫ ତାରିଖରେ ବ୍ୟବଚ୍ଛେଦ କରାଯାଇଛି । ଅପରାହ୍ନରେ ଉଭୟ ଶବକୁ ଶବଦାହ(ସ୍ୱର୍ଗଦ୍ୱାର)ରେ ଶବ ସତ୍କାର କରାଯାଇଛି । ଦମ୍ପତିଙ୍କ ଏପରି ଆକସ୍ମିକ ମୃତ୍ୟୁରେ ଅଞ୍ଚଳବାସୀ ସ୍ତବ୍ଦ ହୋଇ ଯାଇଛନ୍ତି । ଅନ୍ୟପଟେ ୫ ତାରିଖରେ ସ୍ନେକ ହେଲ୍ପ ଲାଇନ୍ ଜରିଆରେ ସଂପୃକ୍ତ ଶୋଇବା ଘରକୁ ଯାଞ୍ଚ କରାଯାଇଥିଲା ଏବଂ ସେଠାରେ ଏକ ବିଷାକ୍ତ ସାପ ବାହାରିଥିଲା । ଯାହା ସାପ କାମୁଡାରେ ଉଭୟ ସସ୍ତ୍ରୀକଙ୍କୁ ମୃତ୍ୟୁ ହୋଇଥିବା ପ୍ରମାଣିତ କରିଛି । ବନ୍ୟାପରେ ଘରେ ଘରେ ବିଷଧର ସାପ ରହିଥିବା ସ୍ପଷ୍ଟ ହୋଇଛି । ଶବ ସତ୍କାର ସମୟରେ ପୂର୍ବତନ ସରପଞ୍ଚ ମାନସ ସାହୁ, ପୂର୍ବତନ ସମିତି ସଭ୍ୟ ତଥା ସମବାୟ ସମିତିର ସଭାପତି ମାନସ ରଞ୍ଜନ ନାୟକ, ରାଜାରାମ ମହାକୁଡ, ଅଜୟ ନାୟକ, ଉପେନ୍ଦ୍ର ବାରିକ, ପ୍ରମୋଦ ବାରିକ ଓ ସୁମନ୍ତ ବିଶ୍ୱାଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମବେଦନା ଜ୍ଞାପନ କରିବା ସହିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରିଥିଲେ । ସେହିପରି ବିଷାକ୍ତ ସାପ କାମୁଡାରେ ଦମ୍ପତି ମୃତ୍ୟୁ ବରଣ କରିଛନ୍ତି ଓ ପ୍ରଶାସନିକ ଅବହେଳା ଓ ଭଦ୍ରକ ଜିଲ୍ଲା ଜଙ୍ଗଲ ବିଭାଗର ଅବହେଳା ଏଥିପାଇଁ ଦାୟୀ ବୋଲି ମୃତକଙ୍କ ଭିଣୋଇ ଦୟାନିଧି ଦାସ ଓ ଆଇନଜୀବି ବିକାଶ ନାଥ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ, ମୃତକଙ୍କ ଅସହାୟ ପୁଅ ଝିଅମାନଙ୍କର ରହିବା, ଖାଇବା ଓ ପଢିବା ଦାୟିତ୍ୱ ସରକାର ବହନ କରିବା ସଂଗେ ସଂଗେ ଭଦ୍ରକ ଜିଲ୍ଲାରେ ବନ୍ୟା ପ୍ରପୀଡିତ ସମସ୍ତ ମାଟିଘରେ ରହୁଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା, ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ଅଧିକ ସଂଖ୍ୟକ ତାଲିମପ୍ରାପ୍ତ ସାପ ଧରାଳୀମାନଙ୍କୁ ନିଯୁକ୍ତି ଦେବା, ବନ୍ୟା ଅଞ୍ଚଳରେ ପିଇବା ପାଣି, ଖାଦ୍ୟ ଓ କ୍ଷତିପୂରଣ ରାଶି ତୁରନ୍ତ ଯୋଗାଇ ଦେବାକୁ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ ଦାବି କରିଛନ୍ତି । ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଦମ୍ପତିଙ୍କ ମୃତ୍ୟୁରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନରେ ଥିବା ଶବଦାହ ଗୃହ ନିକଟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବନେତା ଶ୍ରୀ ନାଥ ଓ ଶତାଧିକ ଗ୍ରାମବାସୀ ସେଠାରେ ରୁଣ୍ଡିଭୂତ ହୋଇ ମୃତ -ଦମ୍ପତିଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

