ଗଜପତି: ସ୍କୁଲ ଭିତରେ ତେଲୁଗୁ ସିନେମା ସୁଟିଂ; ବିବାଦରେ ସରପଞ୍ଚ । ତଦନ୍ତ ପାଇଁ ବିଇଓଙ୍କ ନିର୍ଦ୍ଦେଶ । ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତର ସିଙ୍ଗିପୁର ସରକାରୀ ବିଦ୍ୟାଳୟରେ ତେଲୁଗୁ ସର୍ଟ ଫିଲ୍ମର ଏକ ଭିଡିଓ ସୁଟିଂ କରାଯାଇଥିବା ଭିଡିଓ ଭାଇରାଲ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ଖୋଦ୍ ସରପଞ୍ଚ ତଥା ଅଭିନେତା ଏହି ଭିଡ଼ିଓ ଭାଇରାଲ କରି ଚର୍ଚ୍ଚାରେ ରହିଛନ୍ତି ।
ଏକ ସରକାରୀ ଶିକ୍ଷାନୁଷ୍ଠାନକୁ ତେଲୁଗୁ ସର୍ଟ ଫିଲ୍ମ ସୁଟିଂ ପାଇଁ ବ୍ୟବହାର କରିବାକୁ କିଏ ଅନୁମତି ଦେଲା ଏବଂ କେଉଁ ନିୟମ ଆଧାରରେ ଏହି ସୁଟିଂ କରାଗଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଫିଲ୍ମ ସୁଟିଂ ପାଇଁ ସ୍କୁଲ ବ୍ୟବହାର କରାଯିବା ନିୟମ ବର୍ହିଭୂତ, ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମରେ ଅଭିନୟ କରିଛନ୍ତି ସ୍ଥାନୀୟ ସରପଞ୍ଚ କାଲିପିଲି ତେଜା । ଏହି ସର୍ଟ ଫିଲ୍ମକୁ ସେ ନିଜ ସୋସିଆଲ ମିଡିଆରେ ନିଜେ ଭାଇରାଲ କରିଛନ୍ତି । ଯାହାକୁ ନେଇ ଶିକ୍ଷାବିତଙ୍କ ଠାରୁ ଆରମ୍ଭ ରାଜନୈତିକ ଦଳର କର୍ମୀ ଏବଂ ସାଧାରଣ ଲୋକ ନାପସନ୍ଦ କରିଛନ୍ତି । ସେ ଜାଣିଶୁଣି ନିଜ ପଦର ଅପବ୍ୟବହାର କରି ଏଭଳି କରିବା ନିଶ୍ଚିତ ଭାବେ ନିନ୍ଦିନୀୟ ।
ସେହିଭଲି ଏହି ବିଦ୍ୟାଳୟର ଚାବି ତାଙ୍କୁ କିଏ ଦେଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲୋକେ । ସ୍କୁଲର ମୁଖ୍ୟ ହେଉଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ସେ ହିଁ ଏହାର ଉତ୍ତର ଦେଇପାରିବେ ବୋଲି କହିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଉଭୟ ସରପଞ୍ଚ ଏବଂ ପ୍ରଧାନ ଶିକ୍ଷଯିତ୍ରୀଙ୍କ ବିରୁଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ପ୍ରଧାନ ଶିକ୍ଷଯିତ୍ରୀ କହିଛନ୍ତି ଯେ, ଉଲ୍ଲାସ ସଂପର୍କିତ ବୈଠକ କରିବା ପାଇଁ ସରପଞ୍ଚ ଚାବି ମାଗି ନେଇଥିଲେ, ସେ ଏଭଳି ଭିଡିଓ କରିଛନ୍ତି ବୋଲି ସେ କହିଛନ୍ତି । ସେପଟେ ଜିଲ୍ଲା ଶିକ୍ଷାଅଧିକାରୀ ଡ. ମାୟାଧର ସାହୁ କହିଛନ୍ତି ଯେ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଘଟଣାରେ ନିୟମ ଉଲ୍ଲଂଘନ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

