ଭୁବନେଶ୍ୱର : ବହୁଚର୍ଚ୍ଚିତ ପାନପୋଷ ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲାରେ ରାଉରକେଲା ପୋଲିସକୁ ବଡ଼ ସଫଳତା । ୧୧ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିବା ପ୍ରକାଶ ପାଶୱାନ ଗିରଫ । ପ୍ରକାଶ ପାଶୱାନଙ୍କୁ କାଲି ସନ୍ଧ୍ୟାରେ ବିହାରରୁ ଗିରଫ କରାଯାଇଛି । ପ୍ରକାଶଙ୍କୁ ରାଉରକେଲା ଆଣି ପଚରାଉଚରା କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ୩୫ ବର୍ଷୀୟ ପ୍ରକାଶ ପାଶୱାନ ରାଉରକେଲାର ଜଣେ ଯୁବ ରାଜନୈତିକ କର୍ମୀ । ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଏଥିସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପାଇଁ ପ୍ରତିନିଧି ଭାବେ କାମ କରୁଥିଲେ । ଜୁଏଲ ଓରାମ ମଧ୍ୟ ପ୍ରକାଶ ତାଙ୍କ ସକ୍ରିୟ କର୍ମୀ ଓ ପ୍ରତିନିଧି ଥିବା ସ୍ୱୀକାର କରିଥିଲେ । ପ୍ରକାଶଙ୍କ ବିରୋଧରେ ପୂର୍ବରୁ ୧୭ଟି ଅପରାଧିକ ମାମଲା ରହିଛି। ଏବଂ ପୋଲିସ ତାଙ୍କୁ ଜଣେ history sheeter ଭାବେ ଦର୍ଶାଇଛି।
ଅଗଷ୍ଟ ୧୫ ଭୋର ସମୟରେ ରଘୁନାଥପାଲି ପୋଲିସ ସର୍କିଟ୍ ହାଉସରେ ଚଢ଼ାଉ କରି ବିକାଶ ଡୁଙ୍ଗୁରି ଓ ନାରାୟଣ ସାହୁ ନାମକ ଦୁଇ ଅଭ୍ୟାସଗତ ଅପରାଧୀଙ୍କୁ ଧରିଥିଲା । ସେମାନଙ୍କ ପାଖରୁ ୨ଟି ବନ୍ଧୁକ, ୨ଟି ମାଗାଜିନ୍ ଓ ୯ଟି ଜୀବନ୍ତ ଗୁଳି ଜବତ ହୋଇଥିଲା । ଜଣେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ । ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଥିଲା । ଏବଂ ଆଉ ୨ଟି ବନ୍ଧୁକ, ମାଗାଜିନ୍ ଓ ଗୁଳି ଜବତ କରିଥିଲା । ପରବର୍ତ୍ତୀ ତଦନ୍ତରେ ଗିରଫ ସଂଖ୍ୟା ବଢ଼ିଥିଲା । ତଦନ୍ତର ସବୁଠାରୁ ବଡ଼ ଟ୍ବିଷ୍ଟ ଆସିଥିଲା ସର୍କିଟ୍ ହାଉସ୍ ରେ ରୁମ୍ କିଏ ବୁକ୍ କରିଥିଲେ ତାର ଖୋଳତାଡ଼ ପରେ । ପୋଲିସ ପଚରାଉଚରା ସମୟରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ କହିଥିଲେ ପ୍ରକାଶଙ୍କ ଅନୁରୋଧ ପରେ ଜୁଲାଇ ୨୧ରୁ ୨୩ ପର୍ଯ୍ୟନ୍ତ ଗୋଟିଏ ରୁମ୍ ବୁକିଂକୁ ସେ ଅନୁମୋଦନ କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ରୁମ ନମ୍ବର ୧୦୭ ଓ ୧୧୧ର ଚାବି ରଖି ପ୍ରାୟ ୨୩ ଦିନ ଧରି ସର୍କିଟ୍ ହାଉସ୍ କୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରୁଥିବା ତଦନ୍ତରେ ସାମ୍ନାକୁ ଆସିଥିଲା । ଏହାପରେ ପୋଲିସର ସନ୍ଦେହ ପ୍ରକାଶଙ୍କ ଆଡ଼କୁ ବଢ଼ିଥିଲା । ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ପୋଲିସ ଓଡ଼ିଶା ସହ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ତାଙ୍କୁ ଖୋଜୁଥିଲା। ମଙ୍ଗଳବାର ପାନପୋଷ SDJM କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ । ଏହାର ଦିନକ ପରେ ବିହାରରୁ ସେ ଧରାପଡ଼ିଛନ୍ତି ।
ଏବେ ପ୍ରକାଶଙ୍କୁ ରାଉରକେଲା ଆଣି ପୋଲିସ ପଚରାଉଚରା କରିବ । ସରକାରୀ ସର୍କିଟ୍ ହାଉସ୍ ରେ ଅଭିଯୁକ୍ତମାନେ ଏତେଦିନ ଧରି କିପରି ରହିଲେ, ସେମାନଙ୍କୁ କିଏ ସୁରକ୍ଷା ବା ସହାୟତା ଦେଉଥିଲା, ବନ୍ଧୁକ କେଉଁଠୁ ଆସିଥିଲା ଏବଂ ଏହା ପଛରେ ଆହୁରି ବଡ଼ ନେଟୱର୍କ ରହିଛି କି ନାହିଁ ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ। ପ୍ରାଥମିକ ତଦନ୍ତରେ ଗ୍ୟାଙ୍ଗର ସମ୍ଭାବ୍ୟ ବଟି ଆଦାୟ, ବାଲି କାରବାର ଓ ଟେଣ୍ଡର ଫିକ୍ସିଂ ସହ ସମ୍ପର୍କ ରହିଛି କି ନାହିଁ, ସେ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି। ଏଗୁଡ଼ିକ ଏବେ ତଦନ୍ତାଧୀନ ଅଭିଯୋଗ, ପ୍ରମାଣିତ ନିଷ୍କର୍ଷ ନୁହେଁ । ସର୍କିଟ୍ ହାଉସ୍ ବିବାଦ ସାମ୍ନାକୁ ଆସିବା ପରେ ଓଡ଼ିଶା ବିଜେପି ପ୍ରକାଶଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଜୁଏଲ ଓରାମ ମଧ୍ୟ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେଉ ଏବଂ ଦୋଷୀ ପ୍ରମାଣିତ ହେଲେ ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି କହିଥିଲେ ।

