କାନପୁର : ଉତ୍ତର ପ୍ରଦେଶର କାନପୁର ନିକଟରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି । କାନପୁରସ୍ଥିତ ଗଙ୍ଗା ବ୍ୟାରେଜ୍ ନିକଟବର୍ତ୍ତୀ ନତ୍ ଥୁ ପୁରୱା ଗାଁ ନିକଟରେ ଏହି ପ୍ରଶିକ୍ଷଣ ବିମାନଟି ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଦୁଇଜଣଙ୍କ ମଧ୍ୟରୁ ଜଣେ ପାଇଲଟ୍ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବିମାନଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇ ଖସିପଡ଼ିଲା ତାହାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ବିମାନରେ ଥିବା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟ ଗୁଜରାଟର ରହିଥିବା ବେଳେ ଅନ୍ୟ ଜଣେ କର୍ଣ୍ଣାଟକର ରହିଛନ୍ତି । ଦୁର୍ଘଟଣା ପ୍ରାୟ ୧୧.୫୦ ଟାରେ ହୋଇଛି ।
ବିମାନଟି ୪ ସିଟର ଥିଲା । ବିମାନଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଡ଼ାଣ ସମୟରେ ବିମାନଟି ହଠାତ୍ ଅନିୟନ୍ତ୍ରିତ ହୋଇ ଖସିପଡିଥିଲା । ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛି । ଦୁର୍ଘଟଣା କିଭଳି ହେଲା ତାହାର ଯାଞ୍ଚ ଚାଲିଛି ।
ସୂଚନାଯୋଗ୍ୟ, ନିକଟରେ ଅଲସ୍କା ମିଲିଟ୍ରି ଏୟାରପୋର୍ଟରେ ବିମାନ ଦୁର୍ଘଟଣା ହୋଇ ୮ ଜଣଙ୍କ ଜୀବନ ଚାଲିଯାଇଥିଲା । ପାଣିପାଗ ଖରାପ ଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡିଥିଲା ।

