ନୂଆଦିଲ୍ଳୀ: ଦେଶରେ ଚିନି ଦରରେ ନିଆଁ । ମାସକରେ କିଲୋ ପିଛା ୭ ଟଙ୍କାରୁ ଅଧିକ ବୃଦ୍ଧି, ପାର୍ବଣ ପୂର୍ବରୁ ଖାଉଟିଙ୍କ ଚିନ୍ତା ବଢ଼ିଲା । ପାର୍ବଣ ଋତୁ ପୂର୍ବରୁ ଦେଶରେ ଚିନି ଦରରେ ଅସ୍ୱାଭାବିକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ କିଛି ସପ୍ତାହ ଧରି ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଦର ଲଗାତାର ଉପରମୁହାଁ ହୋଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଜୁଲାଇ ୨୦ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋ ପିଛା ୪୮ଟଙ୍କା ୧୮ ପାଇସା ଥିବାବେଳେ ଅଗଷ୍ଟ ୨୦ରେ ଏହା ୫୫ଟଙ୍କା ୭୦କୁ ବୃଦ୍ଧି ପାଇଛି । ଅର୍ଥାତ୍ ମାତ୍ର ମାସକ ମଧ୍ୟରେ କିଲୋ ପିଛା ୭ଟଙ୍କା ୫୨ ବଢ଼ିଛି । କେତେକ ସହରରେ ଦର ଜାତୀୟ ହାରାହାରିଠାରୁ ମଧ୍ୟ ଯଥେଷ୍ଟ ଅଧିକ ରହିଛି । କୋଲକାତାର କେତେକ ବଜାରରେ ଖୁଚୁରା ଚିନି ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ବେଳେ ପଞ୍ଜାବର ଅମୃତସରରେ ଏହା ପ୍ରାୟ ୬୫ ଟଙ୍କାରେ ବିକ୍ରି ହେଉଛି । ଚିନି ଦର ବୃଦ୍ଧି ପଛରେ ଏକାଧିକ କାରଣ ରହିଥିବା କେନ୍ଦ୍ର ସରକାର କହିଛନ୍ତି ।
ଦେଶରେ ଚିନି ଉତ୍ପାଦନ ପୂର୍ବ ଆକଳନଠାରୁ କମ୍ ହେବା ଏହାର ଏକ ପ୍ରମୁଖ କାରଣ । ପ୍ରାରମ୍ଭରେ ଉତ୍ପାଦନ ପ୍ରାୟ ୩୪୩ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଆକଳନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ପ୍ରାୟ ୩୦୬ LMTକୁ ହ୍ରାସ ପାଇବାର ଆକଳନ କରାଯାଇଛି । ଏହା ସହ ପାଗଜନିତ ପ୍ରଭାବ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି, ବିଶ୍ୱ ବଜାରରେ ଯୋଗାଣ ସ୍ଥିତି ଓ ମହଜୁଦ ଓ କଳ୍ପନାଜଳ୍ପନାମୂଳକ କାରବାରକୁ ମଧ୍ୟ ଦରବୃଦ୍ଧିର କାରଣ ଭାବେ ଦର୍ଶାଯାଇଛି । ଚିନି ଦର ବୃଦ୍ଧି ପାଇଁ ଇଥାନଲ ଉତ୍ପାଦନକୁ ଦାୟୀ କରାଯାଉଥିବା ଯୁକ୍ତିକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଇଥାନଲ ଉତ୍ପାଦନ ପାଇଁ ଚିନି କିମ୍ବା ଆଖୁର ବ୍ୟବହାର ହିଁ ବର୍ତ୍ତମାନର ଦରବୃଦ୍ଧିର କାରଣ ବୋଲି କହିବା ଠିକ୍ ନୁହେଁ ବୋଲି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସ୍ପଷ୍ଟ କରିଛି। ସରକାର ମୁଖ୍ୟତଃ କମ୍ ଉତ୍ପାଦନ, ଚାହିଦା ବୃଦ୍ଧି ଓ ବଜାରରେ ମହଜୁଦ ଭଳି କାରଣକୁ ଦାୟୀ କରିଛନ୍ତି।
ଚିନିର କୃତ୍ରିମ ଅଭାବ ସୃଷ୍ଟି ଓ ମହଜୁଦ ରୋକିବା ପାଇଁ କେନ୍ଦ୍ର ପୂର୍ବରୁ ଷ୍ଟକ୍ ହୋଲ୍ଡିଂ ଲିମିଟ୍ ଲାଗୁ କରିଛି । ଏହି ବ୍ୟବସ୍ଥା ଅଗଷ୍ଟ ୧ରୁ ନଭେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ। ବ୍ୟବସାୟୀଙ୍କୁ ପ୍ରତି ସପ୍ତାହରେ ନିଜ ଚିନି ଷ୍ଟକ୍ ସମ୍ପର୍କିତ ତଥ୍ୟ ସରକାରୀ ପୋର୍ଟାଲରେ ଅପଡେଟ୍ କରିବାକୁ କୁହାଯାଇଛି । ସରକାର କହିଛନ୍ତି, କେତେକ ବ୍ୟବସାୟୀ ଓ ମଧ୍ୟସ୍ଥିଙ୍କ ମହଜୁଦ ଏବଂ କଳ୍ପନାଜଳ୍ପନାମୂଳକ କାରବାର ବଜାରରେ କୃତ୍ରିମ ଅଭାବର ଧାରଣା ସୃଷ୍ଟି କରି ଦରକୁ ପ୍ରଭାବିତ କରିଛି । ସଦ୍ୟତମ ପଦକ୍ଷେପରେ ବୃହତ୍ ଉପଭୋକ୍ତାଙ୍କ ପାଇଁ ଚିନି ମହଜୁଦ ସୀମାକୁ ୩୦ ଦିନରୁ କମାଇ ୧୫ ଦିନ କରାଯାଇଛି। ମିଲ୍ ଗୁଡ଼ିକର ବିକ୍ରି ଓ କ୍ରେତାଙ୍କ ସମ୍ପର୍କିତ ତଥ୍ୟ ଉପରେ ମଧ୍ୟ ସରକାର ନଜର ରଖୁଛନ୍ତି । ଘରୋଇ ବଜାରରେ ଯୋଗାଣ ବଢ଼ାଇ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ୧୦ ଲକ୍ଷ ଟନ୍ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଥିବା ରିପୋର୍ଟ ହୋଇଛି ।

