ତିହିଡି଼ – ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତାଳପଦା ଗ୍ରାମର ଯୁବକଙ୍କ ମୃତଦେହ ତିହିଡି ମିର୍ଜାପୁର ଗ୍ରାମରେ ଉଦ୍ଧାର ହୋଇଛି। ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରୁଥିବା ଅଭିଯୋଗ ହୋଇଛି। ତିହିଡି଼ ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ପାତ୍ରସାହି ଗ୍ରାମରୁ ଶୁକ୍ରବାର ପୋଲିସ ଜଣେ ଯୁବକର ମୃତ ଦେହ ଜବତ କରିଛି। ଯୁବକଙ୍କ ମୃତ୍ୟୁ ସନ୍ଦେହ ଜନକ ଵୋଲି କୁହା ଯାଉଛି। ମୃତ ଯୁବକଙ୍କ ନାଁ ଭରତ ଚନ୍ଦ୍ର ଦାସ ଓ ତାଙ୍କ ଘର ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ବୋଲି ଜଣା ଯାଇଛି । ମୃତକ ଭରତ ତିହିଡି଼ରେ କେବୁଲ କାର୍ଯ୍ୟ କରୁଥିଲେ । ସେ ପାତ୍ରସାହିରେ ଘରଭଡ଼ା ନେଇ ରହୁଥିଲେ । ତେବେ ଶୁକ୍ରବାର ଅପରାହ୍ନରେ ପୋଲିସ କୌଣସି ସୂତ୍ରରୁ ଭରତଙ୍କ ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରିଛି। ଯୁବକଙ୍କ ବେକରେ ଚିହ୍ନ ଥିବାବେଳେ ତାଙ୍କ ମୃତଦେହ ଦ୍ୱାରର କବାଟ ସେପାଖରେ ତଳେ ପଡ଼ିଥିବା ଜଣା ଯିବାରୁ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରା ଯାଉଛି। ପୋଲିସ ସେହି ଘରକୁ ସିଲ କରି ମୃତଦେହକୁ ଜଗି ରହିଥିବା ଜଣା ଯାଇଛି। ତେବେ ଶନିବାର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

