ତିହିଡି,୨୮.୦୭ : ତିହିଡି ବ୍ଲକରେ ବନ୍ୟାର ତାଣ୍ଡବଲୀଳା, ୧୧ ପଞ୍ଚାୟତ ଜଳବନ୍ଦି । ବିଗତ କିଛିଦିନ ଧରି ଲଗାଣ ବର୍ଷା ସହିତ ୩ ଦିନ ଧରି ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତ । ଚାଷୀକୂଳ ହତାସ ହୋଇଥିବା ବେଳେ ଗାଁ ଗଣ୍ଡାରେ ଲହଡି ମାରୁଛି ବର୍ଷାଜଳ । ଧାନ ତଳି ପଚି ଯାଉଥିବା ବେଳେ ରୁଆ ଧାନ ଅବସ୍ଥା ନକହିବା ଭଲ । ୩ରୁ ୪ ଫୁଟ ଜଳ ସଂପ୍ରତି ଧାନ ବିଲରେ । ପୂର୍ବରୁ ପାଣିପାଗକୁ ନେଇ ଖୁସିଥିବା ଚାଷୀ ଆଜି ମୁଣ୍ଡରେ ହାତ ଦେଉଛି । ଲଗାଣ ବର୍ଷା ଫଳରେ ଉପର ମୁଣ୍ଡରୁ ବର୍ଷା ଜଳ ବିଭିନ୍ନ ନଦୀରେ ପ୍ରବେଶ କରିଛି ଏବଂ ସାଳନ୍ଦି ଓ ବୈତରଣୀ ନଦୀର ମାତ୍ରାଧିକ ଜଳ ତିହିଡି ବ୍ଲକରେ ପ୍ରବେଶ କରି ସାରିଛି । ଫଳରେ ବୋଡକ, ତଳଗୋପବିନ୍ଧା, ବିଲଣା, ବାରୋ ଆଦି ୪ଟି ପଞ୍ଚାୟତ ସଂପ୍ରତି ଜଳବନ୍ଦି ଥିବାବେଳେ କାଁପଡା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର, ଫତେପୁର, ମୁକୁନ୍ଦପୁର ଓ ସିନ୍ଦୋଳ ଞ୍ଚାୟତର ଆଂଶିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଅଧିକ ଜଳବନ୍ଦିରେ ଥିବା ବାରୋ ପଞ୍ଚାୟତର ୬୦ ପରିବାରକୁ ସ୍ଥାନାନ୍ତର କରାଯାଇ ସ୍ଥାନୀୟ ବାରୋ ହାଇସ୍କୁଲରେ, ବିଲଣା ଲଞ୍ଜାତାରା ପ୍ରାଥମିକ ବିଦ୍ୟାଳୟରେ ୬୦ ପରିବାର ଏବଂ ଘର ଭାଙ୍ଗି ଯାଇଥିବା ଶ୍ୟାମସୁନ୍ଦରପୁର ପଞ୍ଚାୟତର ୪ ପରିବାରକୁ ଅସ୍ଥାୟୀ ଥଇଥାନ କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସାମ୍ଭାବ୍ୟ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ଅଧିକ ସଚେତନ କରାଯାଇଛି ଏବଂ ରାତିରେ କୌଣସି ଲୋକ ଭୟଭିତ ନହେବା ଲାଗି ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ଛାଡି ଗଲେ ମଧ୍ୟ ଉପର ମୁଣ୍ଡରୁ ଖସୁଥିବା ଜଳ ବିପଦ ସୃଷ୍ଟି କରିବା ନିସନ୍ଦେହ । ବୋଡକ ପଞ୍ଚାୟତର ଜେନାସାହି, ଓରାଳି, ଭଞ୍ଜସାହି, ଖର୍ଦ୍ଦାପାଟଣା, ଅଣ୍ଡରେଇ, ହଟନଗର ଓ ରେବଘାଟ, ବିଲଣା ପଞ୍ଚାୟତର ବିଲଣା ଶାସନ, କେରଡିହ, ବାସନ୍ତୀ ନଗର, ବାରୋ ପଞ୍ଚାୟତ ରାଧାନଗର, ବଳିଆରପୁର, ଖାଲସା, ହାତିସାହି, କଲ୍ୟାଣନଗର, ଚବିଶପଡା, ଦହପାଣିଆ, ତଳଗୋପବିନ୍ଧା ପଞ୍ଚାୟତ ହଟନଗର ମହାଳିକସାହି, ନାଥପଡା ଜେନାସାହି, ତିଆଡିସାହି, ନରସିଂହପୁର, ମାତଗଜପୁର, ମୁକୁନ୍ଦପୁର ପଞ୍ଚାୟତର ଗୁଡପାଳ ଓ ନିଂଗାଡି, ଫତେପୁର ପଞ୍ଚାୟତର ସଦାବର୍ତ୍ତପୁର ଶାସନ ଓ ସଦରବଳିଆ ଏବଂ ସିନ୍ଦୋଳ ପଞ୍ଚାୟତ ନୂଆସାହି ଆଦି ଗାଁଗୁଡିକରେ ବନ୍ୟାଜଳ ପ୍ରବେଶ କରିଛି । ଏଥିସହ କାଁପଡା, ଶ୍ୟାମସୁନ୍ଦରପୁର, ବାରସର ଓ ଗୋବିନ୍ଦପୁର ପଞ୍ଚାୟତରେ ଚାଷ ଜମି ଜଳମଗ୍ନ ରହିଛି । ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେବାକୁ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ବିଷ୍ଣୁଚରଣ ଜେନା, ପ୍ରମୋଦ ଦାସ, ଅଭୟ ମଲ୍ଲିକ, ଦେବେନ୍ଦ୍ର ପୁହାଣ, ସମିତି ସଭ୍ୟ ଭାଗିରଥି ମଳିକ, ସରପଞ୍ଚ ସଞ୍ଜିବ ବେହରା, ରଘୁନାଥ ମଳିକ, ଧନଞ୍ଜୟ ନାୟକ, ନରହରି ନାୟକ, ଗଣେଷ ନାୟକ, ସରପଞ୍ଚ ପ୍ରଦୀପ ବଳ ପ୍ରମୁଖ ଦାବି କରିଛନ୍ତି । ବିଡିଓ ନିରଞ୍ଜନ ବାରିକ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି । ତେବେ ନଦୀ ବନ୍ଧ ଓ କେନାଲ ବନ୍ଧ ମରାମତି ଆଳରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେହେଁ ବର୍ଷାଜଳକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଛି । ବିଭାଗୀୟ ପଦାଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ତହବିଲରୁ ଅର୍ଥହରିଲୁଟ୍ ହେଉଥିବାର ସାଧାରଣରେ ଅଭିଯୋଗ ହେଉଛି । ଜିଲ୍ଲା ପକ୍ଷରୁ ତଦନ୍ତ କରାଯାଇ ସଠିକ୍ ପଦକ୍ଷେପ ଗ୍ରହଣ କରିବା ସହିତ ବନ୍ୟା ଦାଉରୁ ଲୋକଙ୍କୁ ବିପଦମୁକ୍ତ କରିବା ଲାଗି ଦାବୀ ଜୋର ଧରିଛି । ଅନ୍ୟପଟେ ବନ୍ୟା ଆସିଲେ ଚିନ୍ତା ପଶେ ସାଳନ୍ଦି ଜଳସେଚନ ବିଭାଗର । ବିଲଣାରେ ସାଳନ୍ଦି ନଦୀବନ୍ଧ ଧସି ଯିବାରୁ ସେଠାରେ ବାଲି ବସ୍ତା ପେକିଂ ଦିଆ ଯାଇଛି ଯାହାର ସାମୟିକ ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

