ପୁରୀ,୨୭/୭-ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ଦିନ ନୀଳାଦ୍ରି ବିଜେ ପୂର୍ବରୁ ବର୍ଷା ଯୋଗୁ ବଡଦାଣ୍ଡ ମାଳିନୀ ନଦୀର ଭ୍ରମ ସୃଷ୍ଟି କରିଥିଲା । ହଜାର ହଜାର ବାଇକ ଓ ସ୍କୁଟି ବଡଦାଣ୍ଡରେ ବୁଡି ରହିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ରଥଯାତ୍ରା ବୈଠକରେ ବର୍ଷା ହେଲେ ଜଳ ନିଷ୍କାସନ କରିଦେବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫେଲ ମାରିଲା । ପମ୍ପ ସେଟ ଅଛି ପାଇପ ପଡିଛି ହେଲେ ସେସବୁ କିଛି କାମ ଦେଲାନି । ପ୍ରବଳ ବର୍ଷା ଯୋଗୁ ହଜାର ହଜାର ପ୍ଲାଷ୍ଟିକ ବୋତଲ ଭାସିବା ଓ ଅଳିଆ ଆବର୍ଜନା ଦୃଶ୍ଯକୁ ଭକ୍ତ ମାନେ ଦେଖିଥିଲେ । ବଡଦାଣ୍ଡରେ ବଡ କଲବଲ ହୋଇ ରଥଯାତ୍ରୀ ମାନେ ତିନିରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଆଜି ସକାଳୁ ଖରା ହେବାରୁ ଅଧିକ ସଂଖ୍ୟକ ଭକ୍ତ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଛୁଟି ଆସିଥିଲେ । ଚଳିତବର୍ଷ ରଥଯାତ୍ରାରେ ସବୁ ଅବ୍ଯବସ୍ଥାର ସୀମା ଟପିଲା । ମନ୍ଦିର ପାଖରୁ ମଠବାଡି ଭାଙ୍ଗି ଯାଇଥିବାରୁ ଶ୍ରଦ୍ଧାଳୁ ମାନେ ଓଦା ସରସରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ବଡଦାଣ୍ଡ ବଳଗଣ୍ଡି ଠାରେ ବର୍ଷାଜଳ ସୁଅରେ ଅନେକ ବାଇକ ଲେଉଟି ପଡିଥିବା ଦେଖିବାକୁ ମିଳିଥିଲା । ନଳା ଭିତରୁ ପଙ୍କ ଆସି ଦାଣ୍ଡରେ ଭାସୁଥିଲା । ଟାଉନହଲ ରଥଯାତ୍ରା ବୈଠକରେ ସବୁ ବ୍ଯବସ୍ଥା ଠିକ ଅଛି କହି ସୁନ୍ଦର ଭାବେ ବୁଝାଉଥିବା ଅଧିକାରୀ ବର୍ଷା ବେଳେ ଦେଖାନଥିଲେ । ଶେଷ ଦିନରେ ଜଗା ଦେଖାଇଲା କଣ କାମ ହୋଇଛି । ଲୋକନାଥ ରୋଡ ଛପନ ଛକରେ ବର୍ଷାଜଳ ସୁଅରେ ଏକ ଲାଇନ ଖୁଣ୍ଟ ଅଧା ନଇଁ ପଡିଛି । ଡ୍ରେନ ଭିତରେ ଅଧିକାଂଶ ଘରକୁ ପାଣି ପାଇପ ଯାଇଥିବାରୁ ସେଥିରେ ଅଳିଆ ଲାଗି ପଙ୍କରେ ପୋତି ହୋଇଥିବାରୁ ତାହା ଜଳ ନିଷ୍କାସନରେ ବାଧକ ସାଜିଛି । ଡ୍ରେନ ରାସ୍ତା ଠାରୁ ଫୁଟେ ଉଚ୍ଚାରେ ରହିବାରୁ ଡ୍ରେନ ପାଣି ରାସ୍ତାକୁ ଆସୁଛି । ଡ୍ରେନ ସଠିକ ଭାବେ ନିର୍ମାଣ ହୋଇନଥିବାରୁ ବର୍ଷା ହେଲେ ସମସ୍ଯା ସୃଷ୍ଟି ହେଉଛି । ତୁହାକୁ ତୁହା ବର୍ଷା ଯୋଗୁ ସିଦ୍ଧମହାବୀର,ଭାରତୀପୁର, ସେନାପତି ବଗିଚା, କୁମୁଟିପାଟଣା, ଟିକରପଡା, ଗୁଣ୍ଡିଚା ବିହାର, ରାମଚଣ୍ଡୀ ବାଲିକୁଦ ବସ୍ତି, ସର୍ବୋଦୟ ନଗର,ମଧୁବନ, ମାଟିତୋଟା, ସୁଜାତାନଗର ସମେତ ଅବକାଶ ଲେନ, ରାୟବାହାଦୁର ଲେନ,ଷ୍ଟେସନ ଅଞ୍ଚଳ ବସ୍ତି ଓ ସାହି ମାନଙ୍କରେ ବର୍ଷାଜଳ ଜମୁଥିବାରୁ ଯାଆଆସ କରିବା ପାଇଁ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଲାଗି ରହିଥିବାରୁ ବଡଦାଣ୍ଡ ସମେତ ନବକଳେବର ରୋଡ, ଚକ୍ରତୀର୍ଥ ରୋଡ, ବଳିଆପଣ୍ଡା, ମଙ୍ଗଳାଘାଟ , ଭିଆଇପି ରୋଡ ଓ ବେଳାଭୂମି ରାସ୍ତାଘାଟରେ ଭକ୍ତ, ଶ୍ରଦ୍ଧାଳୁ ,ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନେ ବର୍ଷାରେ ଭିଜିଥିବା ଦେଖିବାକୁ ମିଳିଛି ।ବଡଦାଣ୍ଡରେ ପସରା ପକାଇଥିବା ସାମଗ୍ରୀ ହଇରାଣ ହରକତ ହେବା ସହ ମୁଣ୍ଡରେ ହାତଦେଇ ବସିଛନ୍ତି । ଜରି ଛତା ଧରି ଲୋକ ମାନେ ଯାଆଆସ କରୁଛନ୍ତି । କାଦୁଆ ପଚପଚ ସ୍ଥାନରେ ପାଣି ଜମବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବର୍ଷାରେ ଭିଜି ଭିଜି ଏଣେତେଣେ ଯାଆଆସ କରୁଥିବା ଦେଖିବାକୁ ମିଳିଥିଲା ।

