କାର୍ଗିଲ ବିଜୟ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ଖାନନଗର ପଞ୍ଚାୟତର ହରିଡ଼ା ଗ୍ରାମରେ ସହିଦ ଗଙ୍ଗାରାମ ସ୍ମୃତି ପରିଷଦ ପକ୍ଷରୁ ବିଜୟ ଦିବସର ବାର୍ଷିକ ଉତ୍ସବ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଥିଲା। ସ୍ମୃତି ପରିଷଦର ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଗିଲ ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବା ସହ ସହିଦ ଗଙ୍ଗାରାମଙ୍କ ଅମର ତ୍ୟାଗକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, ଅବସରପ୍ରାପ୍ତ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ମୁଖ୍ୟ ବକ୍ତା, ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିରେଖା ପାଣିଗ୍ରାହୀ, ଖାନନଗର ସରପଞ୍ଚ ଅଞ୍ଜନ ନାୟକ, ଭାଗିରଥୀ ରାଉତ, ସମିତି ସଭ୍ୟା ରଶ୍ମିରେଖା ଦାସ, ଶତ୍ରୁଘ୍ନ ମଲ୍ଲିକ, ଅବସରପ୍ରାପ୍ତ କ୍ୟାପଟେନ୍ ଚନ୍ଦ୍ରମଣି ମହାପାତ୍ର ଓ ଅବସରପ୍ରାପ୍ତ ସୁବେଦାର ତରୁଣ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ବକ୍ତାମାନେ କାର୍ଗିଲ ଯୁଦ୍ଧର ଐତିହାସିକ ବିଜୟ, ଭାରତୀୟ ସେନାର ସାହସ ଓ ଦେଶ ପାଇଁ ସହିଦ ଗଙ୍ଗାରାମଙ୍କ ଅତୁଳନୀୟ ବଳିଦାନ ଉପରେ ଆଲୋକପାତ କରିଥିଲେ। ସେମାନେ ଯୁବପିଢ଼ିକୁ ଦେଶପ୍ରେମ, ଶୃଙ୍ଖଳା ଓ ରାଷ୍ଟ୍ରସେବାର ଆଦର୍ଶରେ ପ୍ରେରିତ ହେବାକୁ ଆହ୍ୱାନ ଦେଇଥିଲେ।
ସ୍ମୃତି ପରିଷଦର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଗିରି ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ କୁରୁଡ଼ା ମଠସାହି ରାସ୍ତାକୁ ବୀର ସହିଦ ଗଙ୍ଗାରାମଙ୍କ ନାମରେ ନାମିତ କରାଯାଇ ନାମଫଳକର ଶୁଭ ଉଦ୍ଘାଟନ ମଧ୍ୟ କରାଯାଇଥିଲା। ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିବା ସହ ସହିଦଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ।

