ଭଦ୍ରକ ଜିଲ୍ଲା ତିହିଡି଼ ସଦର ବଜାରସ୍ଥିତ ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ଟାଙ୍କି ତେଲରେ ଅପମିଶ୍ରଣ ତଥା ପାଣି ମିଶାଯିବା ଅଭିଯୋଗ ହୋଇଛି। ଏହାକୁ ନେଇ ପେଟ୍ରୋଲ ଟାଙ୍କି ସାମ୍ନାରେ ବୁଧବାର ଅପରାହ୍ନରେ ଶତାଧିକ ଗ୍ରାହକ ହୋହାଲ୍ଲା କରି ଟାଙ୍କି ବନ୍ଦ କରିଦେବା ପାଇଁ ଦାବି ଜଣାଇଛନ୍ତି l ଏହାକୁ ନେଇ ଟାଙ୍କିରେ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ ତିହିଡି଼ ପୋଲିସ ଥାନା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ l ଗ୍ରାହକମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟାଙ୍କି ତେଲରେ ଅପମିଶ୍ରଣ ତଥା ପାଣି ମିଶା ଯାଉଛି l ଯାହା ଫଳରେ ସେମାନଙ୍କ ଗାଡ଼ି ଓ ବାଇକ ଅଚଳ ହୋଇ ଯାଉଛି l ଯାତ୍ରୀବାହୀ ଗାଡ଼ି ଓ ଅନ୍ୟ ୪ଚକିଆ ଯାନ ତେଲ ପାଇଁ ବିଭିନ୍ନ ସମସ୍ୟାରେ ପଡୁଥିବା କେତେକ ଗାଡ଼ି ମାଲିକ ଦର୍ଶାଇଥିଲେ। କେତେକ ଲୋକ ମଧ୍ୟ ଅପମିଶ୍ରିତ ତେଲ ଧରି ଟାଙ୍କିରେ ପହଞ୍ଚି ଯାଞ୍ଚ ପାଇଁ ଦାବି ଜଣାଇଥିଲେ। ତେବେ ଏହି ଉତ୍ତେଜନା ଖବର ପାଇ ଟାଙ୍କି ମାଲିକ ମଧୁସ୍ମିତା ମଲିକ ଟାଙ୍କିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଟାଙ୍କିରେ ପାଣି ମିଶା ଯାଉନଥିବା କହିଥିଲେ l ତେବେ ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷ ତେଲ ନମୁନା ପରୀକ୍ଷା ପାଇଁ ନେଇଥିବା ବେଳେ ଟାଙ୍କି ବନ୍ଦ ଥିବା ଜଣାଯାଇଛି l ଏହି ଘଟଣାଟି ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ସାଜିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

