ପୁରୀ,୧୩/୭-ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି ।ସୋମବାର ରଥ ନିର୍ମାଣର ୮୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ହୋଇଉଠିଛି ।

ସୋମବାର କୋଠ ସୁଆଁସିଆଙ୍କ ଦ୍ୱାରା ତିନିରଥରେ କନା ପକା କାର୍ଯ୍ଯ ଆରମ୍ଭ । କନକ ମୁଣ୍ଡିରେ ପଡିଲା ପିତଳ ସଜ ଓ ଦରଜୀ ସେବକଙ୍କ କନାକାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ତିନିରଥରେ ବୁଲିଛି ଠେକେରା ବାଡ । ଶନିବାର ସୁଦ୍ଧା ତିନିରଥରେ କଳସ,ଓଲଟ ଶୁଆ ଏବଂ ଅଁଳା ସଂସ୍ଥାପିତ ହେବାସହ ଚିତ୍ରକାର ସେବକଙ୍କ ଦ୍ୱାରା ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଏବଂ ଦରଜୀ ସେବକଙ୍କ ଦ୍ୱାରା ରଥ କନା କାର୍ଯ୍ୟ ଜାରୀ ରହିଥିଲା । ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଠେକେରା ବାଡ଼ ବୁଲାଇବା କାର୍ଯ୍ୟ ଶେଷ କରିଛନ୍ତି। ଠେକରା ବାଡ଼ରେ ଅଷ୍ଟ ସଖୀ ଫିଟିଙ୍ଗ ବାକି ରହିଛି।ଆଜି ପିତଳ ସଜ କାରୀଗର ତଥା କୋଠ ସୁଆଁସିଆ ସେବକ ମାନେ ତିନିରଥର ବେଦୀ ସିଂହାସନ ଉପର କନକ ମୁଣ୍ଡିରେ ପିତଳ ଚଦର ଆବରଣ (ବର୍ଷା ପାଣି ପଡ଼ିବା ପାଇଁ) ଫିଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।ଦରଜୀ ସେବକ ମାନେ ତିନିରଥର ବତା କାନାରେ ଲେସ୍ ଫିଟିଙ୍ଗ ସହ ଯୋଡଣି କାର୍ଯ୍ୟ ଶେଷ କରିବାସହ ତିନିରଥର ଦ୍ଵାର ବେଢ଼ା ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରୀ ଲେସ୍ ପକା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ଙ୍କୁ ରଥରେ କାନା ପକା କାର୍ଯ୍ୟ ପାଇଁ ଯୋଗାଇ ଦେଇ, ତିନିରଥର ଘେର କନା ଗୁଡ଼ିକର ଯୋଡଣି କାର୍ଯ୍ୟ ଶେଷ ପରେ ତିନିରଥର ପୋଟଳ କନାରେ ଜରୀ ଲେସ୍ ଫିଟିଙ୍ଗ ଏବଂ ସାରଥୀଙ୍କ ପାଇଁ ପୋଷାକ ସିଲେଇ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ ମହାପ୍ରଭୁଙ୍କ ମଥା ପଟି, ବାଘ ପଟି ତଥା ପହଣ୍ଡି ନିମନ୍ତେ ମୁଠି ବେଣ୍ଟ ଏବଂ ନଳୀ ଭୁଜ ସିଲେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଆଜି କୋଠ ସୁଆଁସିଆ ସେବକ ମାନେ ତିନିରଥର କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ତାଳଧ୍ଵଜ ରଥର ଦ୍ୱାରା ବେଢ଼ା ଚନ୍ଦ୍ରଶାଳୀରେ କାନା ପକା କାର୍ଯ୍ୟ ପରେ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଦୁଆର ବେଢା ଚନ୍ଦ୍ରଶାଳୀ ରେ କାନା ପକା କାର୍ଯ୍ୟ ଶେଷ କରିଛନ୍ତି। ଚିତ୍ରକାର ସେବକ ମାନେ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତିନିରଥର ଘୋଡ଼ା ଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ କରି ତିନିରଥର ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ କୋଠ ସୁଆଁସିଆ ସେବକ ମାନଙ୍କୁ ରଥରେ କାନା ପକା କାର୍ଯ୍ୟ ପାଇଁ ହାତୁଡ଼ି,ଛୁରୀ ନିର୍ମାଣ କରି ଯୋଗାଇ ଦେଇଛନ୍ତି। ତିନିରଥ ର ମହାରଣା ସେବକ ୭୭ଜଣ, ଭୋଇ ସେବକ ୭୬ଜଣ,ତିନିରଥ କରତୀ ସେବକ ୪ଜଣ , ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ, ତୁମ୍ବ ବିନ୍ଧ କାରୀଗର ୨ଜଣ, ପାହି ମହାରଣା ୨ଜଣ,ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ।

