ପୁରୀ,୧୦/୭- ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗଡୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରି ଚତୁର୍ଦ୍ଧାମୂର୍ତ୍ତି ଜ୍ବରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ।

ଶ୍ରୀମନ୍ଦିର ବୈଦଙ୍କ ପରାମର୍ଶକ୍ରମେ ମହାପ୍ରଭସୁସ୍ଥ ହେବି ପାଇଁ ଦଇତାପତି ସେବକ ମାନେ ଗୁପ୍ତ ସେବା ଜାରି ରଖିଛନ୍ତି ।

ପଞ୍ଚମୀରୁ ସପ୍ତମୀ ପର୍ଯ୍ୟନ୍ତ ଫୁଲରୀ ତେଲ ଲାଗି ପରେ ଆଜି ଦଶମୀ ତିଥିରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ରାଜବୈଦ ରୁଦ୍ରନନ୍ଦନ ମିଶ୍ର, ଦୁର୍ଗାନନ୍ଦନ ମିଶ୍ର ଓ ନନ୍ଦନନ୍ଦନ ମିଶ୍ର ଚେରମୂଳିରେ ଦଶମୂଳ ମୋଦକ ପ୍ରସ୍ତୁତ କରି ପଇଠ କରିଥିଲେ । ଏହି ଦଶମୂଳ ମୋଦକ ପ୍ରସ୍ତୁତି ପାଇଁ ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥାଏ । ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ । ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ ଆଦି ପକାଯାଇ ଏହାକୁ ପାଗ କରାଯାଏ । ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ପଇଠ କରିଛନ୍ତି । ଏକାଦଶୀ ତିଥିରେ ଶ୍ରୀମନ୍ଦିର ବୈଦଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଲାଗି କରାଯିବ । ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଓ ରକ୍ତ ବସ୍ତ୍ର ପରିଧାନ କରିବେ । ଏକାଦଶୀ ଠାରୁ ତୁଳସୀ ଲାଗି କରାଯିବ । ଆଜି ଦଶମୀ ତିଥିରେ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସର ଘରେ ଥିବା ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ଶ୍ରୀବିଗ୍ରହ ମାନଙ୍କୁ ଚକା ଉପରେ ବିଜେ କରାଯିବ । ପରେ ଦଶମୂଳ ମୋଦକ ଲାଗି କରାଯିବ । ରାଜବୈଦ୍ୟ ପରିବାର ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୂତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରିଥିଲେ । ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଥାଏ। ବିଭିନ୍ନ ସ୍ଥାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଥାନ୍ତି । ଧନ୍ଵନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି ବୋଲି ରାଜବୈଦ୍ୟ କହିଛନ୍ତି । ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ଯ ମନେ କରିଛନ୍ତି ରାଜବୈଦ ।

