ପୁରୀ,୧୦/୭-ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀକୁ ଆସୁଛନ୍ତି। ଏହି ସମୟରେ ବିଭିନ୍ନ ଅନଲାଇନ୍ ମାଧ୍ୟମରେ ହୋଟେଲ ବୁକିଂ ନାମରେ ସାଇବର ଠକେଇର ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଜନହିତକର ପଦକ୍ଷେପ ଗ୍ରହଣ କରିଛି। ପୁରୀ ପୋଲିସ ପକ୍ଷରୁ ସହରର ୭୭ଟି ହୋଟେଲର ଅଧିକୃତ Google ଲିଙ୍କ, ୱେବ୍ସାଇଟ , ଇ-ମେଲ୍ ଠିକଣା, ଯୋଗାଯୋଗ ନମ୍ବର ଏବଂ ହୋଟେଲର ନାମ ସଂଗ୍ରହ କରାଯାଇ ଯାଞ୍ଚ ପରେ ସାର୍ବଜନୀନ କରାଯାଉଛି। ଏହି ତଥ୍ୟ ଭକ୍ତମାନଙ୍କୁ ସଠିକ୍ ଏବଂ ବିଶ୍ୱସନୀୟ ଉତ୍ସରୁ ହୋଟେଲ ବୁକିଂ କରିବାରେ ସହାୟକ ହେବ। ରଥଯାତ୍ରା ସମୟରେ କେତେକ ଠକ ନକଲି ୱେବସାଇଟ୍, ଭୁଆ Google Business Profile, ସୋସିଆଲ୍ ମିଡିଆ ପେଜ୍, WhatsApp ନମ୍ବର ଓ ନକଲି UPI QR କୋଡ୍ ବ୍ୟବହାର କରି ଶ୍ରଦ୍ଧାଳୁଙ୍କୁ ଅଗ୍ରିମ ଅର୍ଥ ପ୍ରଦାନ ପାଇଁ ପ୍ରଲୋଭିତ କରି ଠକେଇ କରୁଥିବା ଦେଖାଯାଇଛି। ଅନେକ କ୍ଷେତ୍ରରେ ଅର୍ଥ ପ୍ରଦାନ କରିବା ପରେ ହୋଟେଲ ବୁକିଂ ହୋଇନଥାଏ କିମ୍ବା ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ଫଳରେ ଶ୍ରଦ୍ଧାଳୁମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୁଅନ୍ତି। ଏହିପରି ଘଟଣାକୁ ରୋକିବା ଏବଂ ଭକ୍ତମାନଙ୍କୁ ସୁରକ୍ଷିତ ବୁକିଂ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ଏହି ଯାଞ୍ଚକୃତ ହୋଟେଲ ତାଲିକା ପ୍ରସ୍ତୁତ କରିଛି। ଶ୍ରଦ୍ଧାଳୁମାନେ ଏହି ତାଲିକାରେ ଥିବା ଅଧିକୃତ ୱେବ୍ସାଇଟ ଲିଙ୍କ, ଇ-ମେଲ୍ ଓ ଫୋନ୍ ନମ୍ବର ମାଧ୍ୟମରେ ସିଧାସଳଖ ହୋଟେଲ ସହ ଯୋଗାଯୋଗ କରି ବୁକିଂ କରିପାରିବେ। ପୁରୀ ପୋଲିସ ଦ୍ୱାରା ପ୍ରକାଶିତ ଯାଞ୍ଚକୃତ ହୋଟେଲ ତାଲିକାରେ ଥିବା ଅଧିକୃତ ଲିଙ୍କ ଓ ଯୋଗାଯୋଗ ବିବରଣୀ ବ୍ୟବହାର କରନ୍ତୁ। କେବଳ ଫୋନ୍ କିମ୍ବା ସୋସିଆଲ୍ ମିଡିଆ ବାର୍ତ୍ତାରେ ବିଶ୍ୱାସ କରି ଅଗ୍ରିମ ଅର୍ଥ ପ୍ରଦାନ କରନ୍ତୁ ନାହିଁ। ଯେକୌଣସି ପେମେଣ୍ଟ କରିବା ପୂର୍ବରୁ ହୋଟେଲର ନାମ, ଠିକଣା, ମୋବାଇଲ୍ ନମ୍ବର ଓ ୱେବସାଇଟ୍ ଯାଞ୍ଚ କରନ୍ତୁ। ସନ୍ଦେହଜନକ ୱେବସାଇଟ୍, ନକଲି ଲିଙ୍କ କିମ୍ବା ଅଜଣା ବ୍ୟକ୍ତିଙ୍କ ବ୍ୟାଙ୍କ/UPI ଆକାଉଣ୍ଟକୁ ଅର୍ଥ ପଠାନ୍ତୁ ନାହିଁ। ଅତ୍ୟନ୍ତ କମ୍ ମୂଲ୍ୟରେ ରୁମ୍ ଦେବାର ପ୍ରଲୋଭନ କିମ୍ବା ତୁରନ୍ତ ପେମେଣ୍ଟ ପାଇଁ ଚାପ ସୃଷ୍ଟି କରାଯାଇଲେ ସତର୍କ ରୁହନ୍ତୁ। ବୁକିଂ ସମ୍ବନ୍ଧୀୟ ସମସ୍ତ ରସିଦ, ଇ-ମେଲ୍ ଓ ପେମେଣ୍ଟ ବିବରଣୀ ସଂରକ୍ଷଣ କରି ରଖନ୍ତୁ। ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛି ଯେ, ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ କେବଳ ଯାଞ୍ଚକୃତ ତଥ୍ୟ ଆଧାରରେ ବୁକିଂ କରନ୍ତୁ। ଏହାଦ୍ୱାରା ଅନଲାଇନ୍ ଠକେଇରୁ ରକ୍ଷା ପାଇବା ସହିତ ରଥଯାତ୍ରା ସମୟରେ ନିର୍ଭୟ ଓ ସୁବିଧାଜନକ ରହଣିର ସୁବିଧା ମିଳିପାରିବ। ଯଦି କୌଣସି ବ୍ୟକ୍ତି ଅନଲାଇନ୍ ହୋଟେଲ ବୁକିଂ ସମ୍ବନ୍ଧୀୟ ସାଇବର ଠକେଇର ଶିକାର ହୁଅନ୍ତି କିମ୍ବା ସନ୍ଦେହଜନକ କୌଣସି ଘଟଣା ଦେଖନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନା, ପୁରୀ ପୋଲିସ କଣ୍ଟ୍ରୋଲ ରୁମ୍ କିମ୍ବା ସାଇବର ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରନ୍ତୁ।ପୁରୀ ପୋଲିସର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ, ସୁବିଧାଜନକ ଏବଂ ଠକେଇମୁକ୍ତ ରଥଯାତ୍ରା–୨୦୨୬ ସୁନିଶ୍ଚିତ କରିବା। ଏବେ ସୁଧା ପୁରୀ ପୋଲିସ ଦ୍ୱାରା 80ରୁ ଉର୍ଦ୍ଧ ନକଲି ୱେବ୍ସାଇଟ ଇମେଲ ବନ୍ଦ କରାଯାଇଛି।

