Uncategorized

ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ହେବ; ଜିନପିଙ୍ଗ ସହ ବୈଠକ ବେଳେ କହିଲେ ମୋଦୀ

Spread the love

ଆଜିଠୁ ଆରମ୍ଭ ହେବ ୨୫ତମ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ। ଏଥିରେ ବିଶ୍ୱର ଶୀର୍ଷ ନେତାମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକତ୍ରିତ ହେବେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଦୁଇ ଦେଶର ସମ୍ପର୍କ କିଭଳି ମଜବୁତ ହେବ ତା’ ଉପରେ ଆଲୋଚନା କରାଯାଇଥିଲା। 

ବୈଠକରେ ଯୋଗ ଦେଇ ପ୍ରଧ‌ାନମନ୍ତ୍ରୀ କହିଥିଲେ ଯେ, “ଉଭୟ ଦେଶ ସମ୍ପର୍କକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ। ଏବେ ସୀମାରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି ଏବଂ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଛି। ଆମେ ପାରସ୍ପରିକ ବିଶ୍ୱାସ ସହିତ ଆଗକୁ ବଢ଼ିବୁ। ସମ୍ପର୍କରେ ସୁଧାର ଆସିବା ପରେ ଏବେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ହେବ। ଉଭୟ ଦେଶର ୨.୮ ବିଲିୟନ ଲୋକଙ୍କ ସ୍ୱାର୍ଥ ଆମ ସହଯୋଗ ସହିତ ଜଡିତ। ଏହା ମାନବତାର କଲ୍ୟାଣକୁ ମଧ୍ୟ ପ୍ରୋତ୍ସାହିତ କରିବ। ଆମେ ଆମର ସମ୍ପର୍କକୁ ଆହୁରି ଉନ୍ନତ କରିବୁ। ଏସସିଓର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଚୀନକୁ ଅଭିନନ୍ଦନ ଜଣାଉଛି।”

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “ଗତ ବର୍ଷ କାଜାନରେ ଆମର ବହୁତ ଫଳପ୍ରଦ ଆଲୋଚନା ହୋଇଥିଲା। ସେଠାରେ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଥିଲା। ସୀମାରୁ ସୈନ୍ୟ ପ୍ରତ୍ୟାହାର ପରେ, ଏବେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି।”

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ବୈଠକ ଶେଷ ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଏସସିଓ ଶିଖର ସମ୍ମିଳନୀ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

error: Content is protected !!