ପୁରୀ,୪/୭- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି ।

ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଶନିବାର ରଥ ନିର୍ମାଣର ୭୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଶନିବାର ତିନିରଥର ନୂତନ ପୁଲିରେ ଲୁହା କଡା ଫିଟିଙ୍ଗ କାର୍ଯ୍ୟ ସମ୍ପନ୍ନ ହୋଇଛି ।ତିନିରଥର ବେଦୀ ଚାରି ପାର୍ଶ୍ବ କୋଣ ଗୁଡ଼ିକରେ ପାରୁସ ପଟା ବାଡ଼ିଆ ଶେଷ ପର୍ଯ୍ଯାୟରେ ପହଞ୍ଚି ଥିବାବେଳେ ପ୍ରଭାରେ ରଙ୍ଗ କାର୍ଯ୍ଯ ଆରମ୍ଭ ହୋଇଛି । ଶୁକ୍ରବାର ସୁଦ୍ଧା ତିନିରଥର ଦୁଆର ବେଢା ରଥ ଉପରକୁ ଉଠିବା ସହ ତିନିରଥର ପ୍ରଭାରେ ଖୋଦେଇ ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଶେଷ ହୋଇଥିଲା ।

ତିନିରଥର ଦୁଆର ବେଢାକୁ ମଜବୁତ୍ କରି ରଖିବା ପାଇଁ ଦୁଆର ବେଢା ଗୁଡ଼ିକର ଉପର ଭାଗ ଚନ୍ଦ୍ର ଶାଳୀ ରେ ଧ୍ୱଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣିରେ କଣ୍ଟା ବସି ସେଟିଙ୍ଗ କରାଯାଇଛି। ଶନିବାର ତିନିରଥର ଦୁଆର ବେଢ଼ା ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ଦୁଆର ବାଣୀଆ ପ୍ରତି ରଥରେ ୧୬ ଟି ଲେଖାଏଁ ଫିଟିଙ୍ଗ କରାଯାଇଛି । ଆଜି ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ଶେଷ ହୋଇଛି ତିନିରଥର ନୂତନ ବ୍ରେକ ପୁଲିରେ ଲୁହା କଡା ଫିଟିଙ୍ଗ କାର୍ଯ୍ୟ। ଆଜି ଆରମ୍ଭ ହୋଇଛି ତିନିରଥ ଉପର ବେଦୀ ପାର୍ଶ୍ୱ ବର୍ତ୍ତି ଚାରି କୋଣ ଗୁଡିକରେ ପଟା ବାଡିଆ କାର୍ଯ୍ୟ, ରଥ ଉପରକୁ ଦୁଆର ବେଢା ଉଠିବା ପାଇଁ ରଥ ଉପର ଚାରି କୋଣକୁ ଛାଡ଼ି ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା । ତିନିରଥକୁ ଦୁଆର ବେଢ଼ା ଉଠିବା କାର୍ଯ୍ୟ ଶେଷ ହୋଇଥିବାରୁ ଆଜି ତିନିରଥର ମହାରଣା ସେବକ ମାନେ ତିନିରଥ ଉପର ବେଦୀ ପାର୍ଶ୍ୱ ବର୍ତ୍ତି କୋଣ ଗୁଡିକରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜି ଚିତ୍ରକାର ସେବକ ମାନେ ତିନିରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡ଼ିକରେ ଧଳା ପ୍ରାଇମର୍ ବୋଳା ଶେଷ କରିଛନ୍ତି । ପ୍ରାଇମର୍ ଶୁଖିଲା ପରେ ପ୍ରଭାରେ ରଙ୍ଗ ଚିତ୍ର ଆଙ୍କିଛନ୍ତି । ତାଳ ଧ୍ଵଜ ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢ଼ି ଆଙ୍କିବା ସହ ପ୍ରଭା ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦଙ୍କ ଚିତ୍ର ଅଙ୍କନ ଜାରୀ ରହିଛି । ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢ଼ି ସହ ପ୍ରଭା ଦୁଇ ପଟରେ ଗଙ୍ଗା, ଯମୁନାଙ୍କ ଚିତ୍ର ଏବଂ ନନ୍ଦି ଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମା ଙ୍କ ଚିତ୍ର ଅଙ୍କନ ଜାରୀ ରହିଛି । ଏଥିସହ ଚିତ୍ରକାର ସେବକ ମାନେ ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ସାରଥୀ, ଘୋଡ଼ା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ତିନିରଥର କନା କଟିଙ୍ଗ ପରେ ତିନି ରଥାର ବତା କନାରେ ବିଳାସ ପଟି (ଜାରୀ ଲେସ୍ ପଟି) ପକା କାର୍ଯ୍ୟ ଶେଷ କରି ସେଥିରେ ସିଲଭର୍ ଜରି ଫୁଲ ଏବଂ ଚକି ପଡ଼ିବା ବାକି ରହିଛି। ଶନିବାର ତିନିରଥର ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ପାଇଁ କନା କଟିଙ୍ଗ ସହ ସେଥିରେ ସିଲଭର ଜରୀ ସୂକ୍ଷ୍ମ କାରୁକାର୍ଯ୍ଯ ସିଲେଇ କାର୍ଯ୍ୟ ଆରମ୍ଭ । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଧ୍ଵଜ ବତା କଣ୍ଟା ଏବଂ ନୂଆ ବ୍ରେକ ପୁଲି ପାଇଁ ଲୁହା କଡା ନିର୍ମାଣ ଶେଷ କରି ରଥ ମହାରଣା ମାନଙ୍କୁ ଯୋଗାଇ ଦେବା ସହ ତିନିରଥର ପ୍ରଭା ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ତିନିରଥର ମହାରଣା ସେବକ ୭୭ ଜଣ,ଭୋଇ ସେବକ ୭୬ଜଣ , ରୂପକାର ସେବକ ୨୧ଜଣ କରତୀ ସେବକ ୪ଜଣ ,ତୁମ୍ବ ବିନ୍ଧ କାରୀଗର ୨ଜଣ ,ପାହି ମହାରଣା ୨ଜଣ , ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

