ଭୁବନେଶ୍ୱର : ବର୍ଷାରେ ବେହାଲ ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅବିରତ ବର୍ଷୁଛି । ତୁହାକୁ ତୁହା ବର୍ଷା । ରାସ୍ତାରେ ଚାଲୁଛି ବର୍ଷା ପାଣି । ଜନଜୀବନ ଅସ୍ତବ୍ୟସ୍ତ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, କୋରାପୁଟ ସମେତ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି । ତଳିଆ ଅଞ୍ଚଳ ଜଳମଗ୍ନ । ଅବିରତ ବର୍ଷା ଯୋଗୁ ଯାତାୟାତ ପ୍ରଭାବିତ । ଜଳନିଷ୍କାସନ ହୋଇନପାରିବାରୁ କିଛି ସ୍ଥାନରେ ଘରେ ପଶିଛି ଡ୍ରେନ ପାଣି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ଅଧିକ ଘନୀଭୂତ ହୋଇ “ସୁଦୃଶ୍ୟ ଲଘୁଚାପ ବଳୟ”ରେ ପରିଣତ ହୋଇଛି ।
ଆଜି ଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ୮ ଜିଲ୍ଲା ପାଇଁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗା ବିଜ୍ଞାନ କେନ୍ଦ୍ର।

