ବାଲେଶ୍ୱର : ମାଛ ଖାଇଲେ ହୋଟେଲରେ ,ହେଲେ ହିସାବ ଛିଣ୍ଡିଲା ଥାନାରେ । ମାଛ ପତ୍ରପୋଡ଼ା ଗୋଟାକୁ ୧୪୦୦ ଟଙ୍କା । ମାଛ ପତ୍ର ପୋଡ଼ା ନାଁରେ ଗ୍ରାହକଙ୍କୁ ଚଢ଼ା ଦର ଲଗାଇ ଟଙ୍କା ନେବା ହୋଟେଲ ମାଲିକଙ୍କୁ ମହଙ୍ଗା ପଡ଼ିଲା । ଟଙ୍କା ଦେଣନେଣ ପାଇଁ ୫ ଘଣ୍ଟା ଥାନାରେ ଚାଲିଲା ନାଟକ । ବାଲେଶ୍ୱର କଚେରୀ ଭିତରେ ଗରମା ଗରମ ହୋଟେଲ ନାଁରେ ଏଭଳି ଅଭିଯୋଗ ଆସିଛି ।
ଅଭିଯୋଗ ଅନୁଯାୟୀ, ଗତକାଲି ୪ ଜଣ ଗ୍ରାହକ ହୋଟେଲ ଆସି ମାଛ ମିଲ ରେଟ୍ ପଚାରିଥିଲେ । ମାଲିକ ୧୦୦ ଟଙ୍କା ଲେଖା କହିବାରୁ ଖାଇବା ପାଇଁ ଟେବୁଲ୍ ରେ ବସିଥିଲେ । ପରେ ମାଲିକ ବାଧ୍ୟ କରି ମାଛ ପତ୍ରପୋଡା ଖାଇବା ପାଇଁ ଦେଇଥିଲେ ୪ ଜଣ ଗ୍ରାହକଙ୍କୁ । ଆଉ ଖାଇ ସାରିବା ପରେ ହୋଟେଲ ପେମେଣ୍ଟ ବେଳକୁ ଆରମ୍ଭ ହେଲା ଯୁକ୍ତିତର୍କ । ହୋଟେଲ ମାଲିକ ଏମିତି ଦର ଶୁଣାଇଲେ ଯେ ଗ୍ରାହକଙ୍କ ଅକଲ ଗୁଡ଼ୁମ୍ ହେଲା । ୪ ଜଣଙ୍କ ମାଛ ମିଲ ୪୦୦ ଟଙ୍କା ଆଉ ମାଛ ପତ୍ରପୋଡ଼ା ୧୪୦୦ ଟଙ୍କା । ସମୁଦାୟ ୧୮୦୦ ଟଙ୍କା । ଏହାକୁ ନେଇ ଯୁକ୍ତିତର୍କ ପରେ ହୋଟେଲ କୁ ଖାଇବାକୁ ଆସିଥିବା ୪ ଯୁବକ ବାଲେଶ୍ଵର ସହଦେବଖୁଣ୍ଟା ଥାନାର ଦ୍ୱାରସ୍ତ ହୋଇଥିଲେ । ପରେ ହୋଟେଲ ମାଲିକ ଦ୍ବିପ୍ରହରରୁ ରାତି ଯାଏଁ ଥାନାରେ ରହିଥିଲେ। ହୋଟେଲରେ କୌଣସି ଟେର୍ ଚାଟ୍ ନଥିବା ଜଣାପଡ଼ିଛି । ଥାନାରେ ୫ ଘଣ୍ଟା ନାଟକ ଚାଲି ଥିଲା । ପରେ ମାଲିକ ରେଟ୍ ହଜାରେ ଟଙ୍କା ମାଗିଥିଲେ । ଆଉ ୧୪୦୦ ଟଙ୍କିଆ ମାଛ ଖାଇ ଦେଇ ଯୁବକ ଦେଲେ ମାତ୍ର ୫୦୦ ଟଙ୍କା। ଶେଷରେ ହୋଟେଲ ମାଲିକ କାନ ମୁଣ୍ଡ ଆଉଁସି ଘରକୁ ଫେରିଥିଲେ ।

