ନୂଆଦିଲ୍ଲୀ: ଧରା ପଡ଼ିଲା ପାକିସ୍ତାନର ଟେରର ଲିଙ୍କ । ଇସଲାମାବାଦରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଇ-ତଏବାର ଡେପୁଟି ଚିଫ୍ ସଇଫୁଲ୍ଲା କସୁରୀକୁ ଏକ ଭିଡିଓରେ ଦେଖିବାକୁ ମିଳିଛି । ଲସ୍କର ସଂଗଠନର ଅନ୍ୟ ଆତଙ୍କବାଦୀମାନଙ୍କୁ ମଧ୍ୟ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ସେମାନେ ଖୋଲାଖୋଲି ଭାବେ ଇସଲାମାବାଦରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତରଙ୍କ ବଡ଼ ଭାଇଙ୍କ ଶେଷକୃତ୍ୟରେ ଯୋଗ ଦେଇଛନନ୍ତି । ଶୋଏବ ଅଖତରଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କର ଗତ ୨୪ ତାରିଖରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା। ଇସଲାମାବାଦରେ ଥିବା H-8 କବରସ୍ଥାନରେ ଶବସଂସ୍କାର ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନେକ ହାଇ-ପ୍ରୋଫାଇଲ, ପ୍ରତିବନ୍ଧିତ ଆତଙ୍କବାଦୀ ସର୍ବସାଧାରଣରେ ପ୍ରାର୍ଥନା ପାଇଁ ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ସଇଫୁଲ୍ଲା କସୁରୀ LeTର ଡେପୁଟି ଚିଫ୍ । ପହଲଗାମରେ ୨୨ ଅପ୍ରେଲ ୨୦୨୫ରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସୂତ୍ରଧର ଥିଲା । ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହି ବ୍ୟକ୍ତିମାନଙ୍କର ଏଭଳି ଖୋଲାଖୋଲି ଭାବେ ବୁଲିବା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତୀୟ କର୍ତ୍ତୃପକ୍ଷ ଏବଂ ଆନ୍ତର୍ଜାତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଏହି ଘଟଣାକୁ ପ୍ରମାଣ ଭାବେ ଦର୍ଶାଇଛନ୍ତି, ଯେ ପାକିସ୍ତାନ ଭାରତ-ବିରୋଧୀ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳ ଏବଂ ସରକାରୀ ସଂରକ୍ଷଣ ଯୋଗାଇ ଦେଉଛି ।

