ଭଞ୍ଜନଗର : ଉପରେ ଖପୁରୀ, ତଳେ କଙ୍କାଳ । ଜଙ୍ଗଲ ଭିତରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଗଛରେ ଝୁଲି ରହିଥିଲା ମଣିଷ ଖପୁରୀ । ତଳେ ପଡିଥିଲା ଗଳିତ ମୃତଦେହର କଙ୍କାଳ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଜିରମ୍ଭା ଗାଁ କୁ ଲାଗି ରହିଥିବା ବାଘମରା ପାହାଡ ସ୍ଥିତ ଜଙ୍ଗଲରେ ନଜରକୁ ଆସିଥିଲା ଏଭଳି ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଏବଂ କଙ୍କାଳକୁ ଜବତ କରିଛି । ଏହି କଙ୍କାଳ ଜଣେ ପୁରୁଷର ହୋଇଥିବା ଅନୁମାନ କରାଯାଇଛି । ତେବେ ଏହା କାହାର ଏବଂ କିଭଳି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ସମୁଦାୟ କଙ୍କାଳକୁ ଜବତ କରି ବ୍ରହ୍ମପୁର ଏଫଏମଟି କୁ ପଠାଇଛି, ପୋଲିସ । ସୂଚନା ପ୍ରକାରେ ଗତ ୯ ତାରିଖରେ ଏହି ଥାନା ଅନ୍ତର୍ଗତ ବିରିକୋଟ ନିକଟ ମହୁଲପଲ୍ଲୀ ଗ୍ରାମର ଜନୈକ ବ୍ୟକ୍ତି ନିଖୋଜ ଥିବା ନେଇ ଭଂଜନଗର ଥାନାରେ ଅଭିଯୋଗ ହୋଇଥିଲା । ପାରିପାର୍ଶ୍ୱିକ ଅବସ୍ଥାରୁ ଉଦ୍ଧାର ହୋଇଥିବା କଙ୍କାଳ ଓ କିଛି ପ୍ରମାଣକୁ ଆଧାର କରି ନିଖୋଜ ବ୍ୟକ୍ତିଙ୍କ ସହ ସାମଞ୍ଜସ୍ୟ ରହିଥିବା ସନ୍ଦେହ କରିଛି ପୋଲିସ । ତେବେ ଡାକ୍ତରୀ ରିପୋର୍ଟ ଏବଂ ତଦନ୍ତ ପରେ, ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

