ନୂଆଦିଲ୍ଲୀ : ଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଏକ ଶ୍ରମିକ ଶିବିରରେ ଅଗ୍ନିକାଣ୍ଡ ଘଟଣା ଆଜି ସକାଳେ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୨୦୦ ଶ୍ରମିକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି । ଆଜି ଭୋରୁ ଅଗ୍ନି ନିର୍ବାପନ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଆଜି ସକାଳେ ଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଏକ ଶ୍ରମିକ ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ସେନା ଭବନ ନିକଟରେ ଅବସ୍ଥିତ ଥିଲା । ଖବର ପାଇ ଘଟଣାସ୍ଥଳରେ ୨୫ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଥିଲା । ପୁଣି ଥରେ ଯେପରି ନିଆଁ ନଲାଗିବ ସେଥିପାଇଁ କୁଲିଂ ଅପରେସନ୍ ମଧ୍ୟ କରାଯାଇଥିଲା । କିନ୍ତୁ କେହି ଆହତ ହୋଇଥିବାର ସୂଚନା ନାହିଁ ।
ଏହାରି ମଧ୍ୟରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀ ସନ୍ଦୀପ ଦୁଗ୍ଗଲ କହିଛନ୍ତି ଯେ, ଏଠାରେ ଏଲପିଜି ସିଲିଣ୍ଡର ବ୍ୟବହାର କରାଯାଉଥିଲା ଏବଂ ଭିତରେ ବିଦ୍ୟୁତ୍ ତାର ଥିଲା । ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ଅଗ୍ନିକାଣ୍ଡର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ ।
ଅନ୍ୟପଟେ ପ୍ରତ୍ୟେକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ, ଅଗ୍ନିକାଣ୍ଡ ଏକ ବିଦ୍ୟୁତ୍ ପ୍ୟାନେଲରୁ ଆରମ୍ଭ ହୋଇ ନିକଟସ୍ଥ ଝୁମ୍ପୁଡ଼ି ଗୁଡ଼ିକୁ ବ୍ୟାପିଯାଇଥିଲା। ନିଆଁ ଯୋଗୁଁ ଝୁମ୍ପୁଡ଼ି ଗୁଡ଼ିକରେ ଥିବା ସମସ୍ତ ଜିନିଷପତ୍ରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଝୁମ୍ପୁଡ଼ିରେ ଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ବାହାରକୁ ପଳାଇ ଆସିଥିଲେ । ଫଳରେ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି ।

