ଭାରତୀୟ ଜନତା ପାର୍ଟି ରେମୁଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟ ପରିସରରେ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ରାଷ୍ଟ୍ରନାୟକ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିପିନ ମାରାଣ୍ଡି, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ଜିଲ୍ଲା ସମ୍ପାଦିକା ରବିତା ଦାସଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତ୍ତାମାନେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ଉପସ୍ଥିତ ବରିଷ୍ଠ ନେତୃବୃନ୍ଦ ମାନେ ଡ. ମୁଖାର୍ଜୀଙ୍କ ତ୍ୟାଗ, ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ ଅଖଣ୍ଡ ଭାରତ ଗଠନରେ ତାଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ଦାସ କହିଥିଲେ ଯେ, ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ପ୍ରଖର ରାଷ୍ଟ୍ରପ୍ରେମୀ, ଦୂରଦର୍ଶୀ ଚିନ୍ତକ ଓ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଆଦର୍ଶ, ତ୍ୟାଗ ଓ ରାଷ୍ଟ୍ରସେବାର ଭାବନା ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଇ ଆସୁଛି। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଉମାକାନ୍ତ ଜେନା, ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ମଣ୍ଡଳ ସାଧାରଣ ସମ୍ପାଦକ କମଲ ଲୋଚନ ପ୍ରଧାନ, ସୂର୍ଯ୍ୟ କୁମାର ମିଶ୍ର, ନିତୁନ କୁମାର ସାହା, ଉମେଶ ଦାସ ଇତ୍ୟାଦି ଉପସ୍ଥିତ ଥିଲେ।

