ତିହିଡି, ୧୯.୦୮ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମନ୍ତେଇ ନଦୀ ବାଲିଆପାଳ ଫେରିଘାଟରେ ପ୍ରସ୍ତାବିତ ବ୍ରିଜ ନିର୍ମାଣ ପାଇଁ ଚାଲିଥିବା ରୋଡ଼ ଓ ସର୍ଭେ କାର୍ଯ୍ୟ ବେଳେ ଘଟିଥିବା ଦୁଃଖଦ ଅଘଟଣରେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ୨୪ ଘଣ୍ଟା ପରେ ନଦୀରୁ ଉଦ୍ଧାର କରା ଯାଇଛି । ମୃତକ ବାଂଶଡା ଥାନା ଅଧୀନ ଯଶିପୁର ଗ୍ରାମର ଚକ୍ରଧର ବେହେରାଙ୍କ ଏକମାତ୍ର ପୁଅ ବିଜୟ ବେହେରା ବୋଲି ଜଣା ଯାଇଛି । ଘଟଣା ସ୍ଥଳରେ ଘଣ୍ଟେଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରା ଯାଇଥିବା ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା । ଫଳରେ ତିନି ଜଣ ଯୁବକ ପାଣିରେ ପଡ଼ି ଯାଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କ ଉଦ୍ୟମରେ ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଥିବା ବେଳେ ଅନ୍ୟ ବିଜୟ ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲେ । ଆଜି ଖୋଜାଖୋଜି କରିବା ପରେ ନଦୀରୁ ଶବ ଉଦ୍ଧାର କରା ଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବ୍ରିଜ ନିର୍ମାଣ ଓ ସର୍ଭେ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ଶ୍ରମିକ ଏବଂ ସର୍ଭେ କର୍ମଚାରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ସହ ଆବଶ୍ୟକ ସୁରକ୍ଷା ସାମଗ୍ରୀ ବ୍ୟବସ୍ଥା ଥିଲା କି ନାହିଁ, ତାହାର ତଦନ୍ତ ଦାବି କରା ଯାଇଛି । ଏହି ଅଘଟଣ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

