ସମ୍ବଲପୁର : ସରିଲା ଦେବଦମ୍ପତିଙ୍କ ବିବାହ । ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ । ବିଳମ୍ବିତ ରାତିରେ ନଗର ପରିକ୍ରମା କରିବେ ମହାଦେବ ଓ ମାତା ପାର୍ବତୀ । ଦୀର୍ଘ ୨୦ଘଣ୍ଟା ଧରି ଚାଲିବ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଓ ନଗର ପରିକ୍ରମା । ସୁରକ୍ଷା ପାଇଁ ୮୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ବିବାହ । ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ ପଟୁଆର । ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । ଦେବ ଦାନବ ଠାରୁ ଆରମ୍ଭ କରି ନର, କିନ୍ନର ପର୍ଯ୍ୟନ୍ତ ସମସ୍ତେ ବରଯାତ୍ରୀରେ ସାମିଲ ହୋଇଥିଲେ । କନ୍ୟା ଘରେ ପହଞ୍ଚିବା ପରେ ରୀତିନୀତି ଓ ପରମ୍ପରା ଅନୁଯାୟୀ ବିବାହ ହୋଇଥିଲା । ଏହି ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା । ମଧ୍ୟରାତ୍ରୀର ଚତୁର୍ଥ ପ୍ରହରରେ ପଡିଲା ହାତଗଣ୍ଠି । ଆଉ ଦେବୀ ପାର୍ବତୀଙ୍କ ହାତରୁ ପାଣିଗ୍ରହଣ କରିଥିଲେ ମହାଦେବ । ରାତ୍ରୀର ଚତୁର୍ଥ ପ୍ରହରରେ ହାତ ଗଣ୍ଠି ପଡିଥିଲା । ଆଜି ଦିନ ତମାମ ଦେବ ଦେବ ମହାଦେବ ଶଶୁର ଘରେ ବିଶ୍ରାମ କରିବା ପରେ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଧରି ନଗର ପରିକ୍ରମା କରିବେ । ନବବିବାହିତ ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

