ମୟୂରଭଞ୍ଜ: ସଜେଇ ହେଉଛି ପାହାଡ଼ପୁର। ରାଷ୍ଟ୍ରପତିଙ୍କ ଶ୍ବଶୁର ଘର ଗାଁ ଆସିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ପାଇଁ ଜୁନ୍ ୨୦ ତାରିଖ ଏକ ଐତିହାସିକ ଦିନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ମୟୂରଭଞ୍ଜ ତଥା ଓଡ଼ିଶାର ଆଦିବାସୀ ଅଞ୍ଚଳର ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭିଭିଆଇପି ଗସ୍ତ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ଖେଳିଯାଇଛି ।
ଜୁନ ୨୦ ତାରିଖ ସକାଳ ପ୍ରାୟ ୧୧ଟା ୦୫ ରେ ପାହାଡ଼ପୁର ହେଲିପ୍ୟାଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରସିଦ୍ଧ ଗୋସାଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ପାହାଡ଼ପୁରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା କାର୍ଯ୍ୟକ୍ରମ ରହିଛି । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆଞ୍ଚଳିକ ବିକାଶମୂଳକ ସଫଳତାକୁ ନେଇ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିବେ । ପରେ ରାଇରଙ୍ଗପୁରର ଦାଣ୍ଡବୋଷ ଠାରେ ଜନସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ସେଠାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ବହୁ ବରିଷ୍ଠ ଅଧିକାରୀ ମୁତୟନ ହେବେ । ମୁଖ୍ୟ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇ.ବି. ଖୁରାନିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସୁରକ୍ଷା, ହେଲିପ୍ୟାଡ୍, ଭିଡ଼ ନିୟନ୍ତ୍ରଣ ଓ ସିସିଟିଭି ନଜରଦାରୀର ସମୀକ୍ଷା କରିଛନ୍ତି ।

