ଭୁବନେଶ୍ୱର : ନୂଆଦିଲ୍ଲୀରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ। ନୀତି ଆୟୋଗ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିକଶିତ ଓଡ଼ିଶା ପାଇଁ ୧୦ ମାଷ୍ଟର ପ୍ଲାନ ଉପସ୍ଥାପନ କରିଛନ୍ତି। ଆର୍ଥିକ ସୁସ୍ଥତାରେ ଓଡ଼ିଶା ଦେଶରେ ଏକ ନମ୍ବର ବୋଲି କହିଛନ୍ତି ମୋହନ। ଡବଲ-ଇଞ୍ଜିନ ସରକାରଙ୍କ ଅଧୀନରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାର ହାସଲ କରିଛି। ଏହା ସହିତ ନୀତି ଆୟୋଗର ‘ଫିସ୍କାଲ ହେଲ୍ଥ ଇଣ୍ଡେକ୍ସ ୨୦୨୬ରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇରେ ୧୦ହଜାର ୯୨୮ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୯୦ହଜାର କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ କାମ ଚାଲିଛି । ସାଗରମାଳା ଓ ପିଏମ ଗତି ଶକ୍ତି ଅଧୀନରେ ପ୍ରସ୍ତାବିତ ବାହୁଦା ଗଭୀର ସମୁଦ୍ର ବନ୍ଦର ଏବଂ ଜାତୀୟ ଜଳପଥ-୫ ଓଡ଼ିଶାକୁ ଏକ ପ୍ରମୁଖ ଲଜିଷ୍ଟିକ୍ ହବ୍ ରେ ପରିଣତ କରିବ। ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଓଡ଼ିଶାରେ ଦୁଇଟି ବଡ଼ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ସହ ଉନ୍ନତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ । ଶିଶୁର ଜନ୍ମରୁ ପ୍ରଥମ ୨ ବର୍ଷ ମଧ୍ୟରେ ତା’ର ୮୫% ମସ୍ତିଷ୍କ ବିକାଶ ହେଉଥିବାରୁ ୦-୩ ବର୍ଷର ଶିଶୁଙ୍କ ଯତ୍ନ ପାଇଁ ରାଜ୍ୟରେ ‘ଆମ କୁନି ପିଲା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶିଶୁ ଯତ୍ନ କ୍ଷେତ୍ରରେ ମାଙ୍କ ସହ ବାପାଙ୍କ ଭୂମିକାକୁ ମଧ୍ୟ ସାମିଲ କରାଯାଉଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଆପଣାଇ ପ୍ରାୟ ୩ଲକ୍ଷ ୧୭ହଜାର ଶିଶୁଙ୍କ ପାଇଁ ୪୪ହଜାର ୮୭୫ଟି ‘ଶିଶୁ ବାଟିକା’ ଶ୍ରେଣୀଗୃହ ପ୍ରତିଷ୍ଠା କରାଯାଇଛି । ଏହା ସହ ପ୍ରତି ପଞ୍ଚାୟତରେ ଗୁଣାତ୍ମକ ଶିକ୍ଷା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ କରାଯାଉଛି । ଓଡ଼ିଶାର ଜନଜାତି ପିଲାମାନଙ୍କ ପାଇଁ ୨୧ଟି ଆଦିବାସୀ ଭାଷାରେ ବହୁଭାଷୀ ଶିକ୍ଷା ପ୍ରଦାନ କରାଯାଉଛି। ଝିଅମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା’ ଅଧୀନରେ ପାଠପଢ଼ାର ବିଭିନ୍ନ ପର୍ଯ୍ୟାୟରେ ସହାୟତା ସହ ୨୧ ବର୍ଷ ବୟସରେ ଏକଲକ୍ଷ ଏକ ଟଙ୍କାର ଆର୍ଥିକ ଲାଭ ଦିଆଯାଉଛି ।
୧୦ଟି ସରକାରୀ ଆଇଟିଆଇକୁ ‘ଉତ୍କର୍ଷ ଆଇଟିଆଇ’ ଭାବେ ଏବଂ ୨୨ଟି ଆଇଟିଆଇକୁ କେନ୍ଦ୍ର ସରକାରଙ୍କ ‘ପିଏମ୍ ସେତୁ’ ଯୋଜନା ଓ PPP ମୋଡ୍ ରେ ବିଶ୍ୱସ୍ତରୀୟ କରାଯାଉଛି । ‘ସୁଦକ୍ଷା’ ଯୋଜନା ମାଧ୍ୟମରେ ଝିଅମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ଦିଆଯାଉଥିବାରୁ ଆଇଟିଆଇରେ ମହିଳା ନାମଲେଖା ପ୍ରାୟ ୩୦%କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ପରେ ଏବେ ସମ୍ବଲପୁର ଓ ବ୍ରହ୍ମପୁରରେ ନୂଆ ଓ୍ୱାର୍ଲ୍ଡ ସ୍କିଲ୍ ସେଣ୍ଟର କ୍ୟାମ୍ପସ ଖୋଲାଯିବ, ଯେଉଁଠାରେ ମେରିନ୍, ଏଗ୍ରିଟେକ୍, ଅକ୍ଷୟ ଶକ୍ତି ଏବଂ ହସ୍ପିଟାଲିଟି ଭଳି ଆଧୁନିକ କ୍ଷେତ୍ରରେ ଉଚ୍ଚତର ପ୍ରଶିକ୍ଷଣ ଦିଆଯିବ । IIIT ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ AI ସମ୍ବନ୍ଧୀୟ କୋର୍ସ ଆରମ୍ଭ ହୋଇଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ୩୧୪ଟି ବ୍ଲକରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ କରୁଛି । ଏହା ଦ୍ଵାରା ୧୨ ଲକ୍ଷରୁ ଅଧିକ ଗ୍ରାମୀଣ ଓ ଜନଜାତି ଯୁବକ ଉପକୃତ ହେବେ । ‘ଫିଟ୍ ଓଡ଼ିଶା ମିଶନ’ ଏବଂ ‘ସିଏମ୍ ଟ୍ରଫି’ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରାଯାଉଛି । ‘ଏଗ୍ରିଷ୍ଟାକ୍’ ମାଧ୍ୟମରେ ୩ କୋଟିରୁ ଅଧିକ ଜମିର ସଠିକ୍ ଡିଜିଟାଲ୍ ସର୍ଭେ ଶେଷ ହୋଇଛି । ସେହିପରି ପ୍ରଶାସନକୁ ସ୍ୱଚ୍ଛ ଓ ଜନକୈନ୍ଦ୍ରିକ କରିବା ପାଇଁ ‘ଆମ ସାଥୀ’ ଭଳି ଏକ ବହୁଭାଷୀ ଓ ଭଏସ୍-ଏନେବୁଲ୍ଡ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ଲାଟଫର୍ମ ବ୍ୟବହାର କରାଯାଉଛି, ଯାହା ସେବା ପ୍ରଦାନ ଏବଂ ସମସ୍ୟାର ସମାଧାନ ପ୍ରକ୍ରିୟାକୁ ସହଜ କରିବ ।

