ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ହ୍ୟୁମାନ ପୋଟେନସିଆଲ ଡେଭେଲପମେଣ୍ଟ ଟ୍ରଷ୍ଟ, ଭୁବନେଶ୍ୱର ଏବଂ ସ୍ପାର୍କ ପ୍ରାଇଭେଟ ଲିମିଟେଡ଼, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ତା.୦୫.୦୬.୨୦୨୬, ଶୁକ୍ରବାର ଦିନ ଡୁମୁଡୁମାସ୍ଥିତ “ଆଶ୍ରୟ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ୍” ର ପିଲାମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହିତ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ତଥା ଛୋଟ ବୟସରୁ ହିଁ ଏକ ସବୁଜ ପୃଥିବୀ ଗଠନ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରଫେସର ଶୁଭେନ୍ଦୁ କୁମାର ଦାଶ, ସମ୍ମାନିତ ଅତିଥି ଶ୍ରୀମତୀ ଜସ୍ମିତା ଦାଶ, ଆଶ୍ରୟର ପ୍ରତିଷ୍ଠାତା ଡକ୍ଟର ବିନାୟକ ପଲାଇ, ଏଚ୍.ପି.ଡି. ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏହାର ବିଷୟବସ୍ତୁ “ଗୋ ଗ୍ରୀନ୍ ବ୍ରିଦ୍ କ୍ଲିନ” ଉପରେ ପିଲାମାନଙ୍କୁ ସଚେତନ କରାଇଥିଲେ। ଏବେଠାରୁ ପରିବେଶ ସୁରକ୍ଷାର ଦାୟିତ୍ୱ ବିଷୟରେ ବୁଝାଇବା ପାଇଁ ସ୍ପାର୍କ ପ୍ରାଇଭେଟ ଲିମିଟେଡ଼ର ଜେନେରାଲ ମ୍ୟାନେଜର ଶ୍ରୀ ସୁଜିତ କୁମାର ଦାସ ଏକ ସ୍ୱଳ୍ପ ଭିଡିଓ ପ୍ରଦର୍ଶନ କରିଥିଲେ ଏବଂ ସ୍ପାର୍କର କର୍ପୋରେଟ ବ୍ୟାପାର ମୁଖ୍ୟ ଶ୍ରୀମତୀ ଶୁଭ୍ରା ମିଶ୍ର ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏଚ୍.ପି.ଡି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ରାଜ କୁମାର ସୂତାର ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ, ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀମତୀ ମୀନା ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀମତୀ ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଶ୍ରୟର ପିଲାମାନଙ୍କୁ ସ୍ପାର୍କ ତରଫରୁ ପରିବେଶ ଚିହ୍ନିତ ଟି-ସାର୍ଟ ବିତରଣ କରାଯାଇଥିଲା।

