କେନ୍ଦ୍ରାପଡା: ମାଆ ପୁଅଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ବିତିଲାଣି ୯୬ ଘଣ୍ଟା । କିନ୍ତୁ ଏବେବି ଆଇଆଇସିଙ୍କ ନାଁରେ ରୁଜୁ ହୋଇନି ମାମଲା । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ବିତ କରିଛନ୍ତି । ଏଥିସହ ବିଭାଗୀୟ ତଦନ୍ତ ପ୍ରକ୍ରିୟା ପାଇଁ ନିର୍ଦେଶ ଦେଇଛନ୍ତି । ଅଭିଯୋଗର ସଙ୍ଗେ ସଙ୍ଗେ ମାମଲା ରୁଜୁ ହେବାର ନିୟମ ରହିଥିବା ବେଳେ IICଙ୍କ ନାଁରେ ଲିଖିତ ଅଭିଯୋଗର ୯୬ ଘଣ୍ଟା ପରେ ବି ଏଯାଏଁ ମାମଲା ରୁଜୁ ହୋଇନାହିଁ । ଆଇଆଇସି ବର୍ବରତାର ସବୁ ସୀମା ଟପିବା, ଥାନା ଭିତରେ ମାଆ ପୁଅଙ୍କୁ ମାଡ ମାରି ଲହୁ ଲୁହାଣ କରିବା , ଜୀବନରୁ ମାରି ଦେବା ପାଇଁ ବେକ ଚିପିବା , ହତ୍ୟା ଧମକ ଦେବା ଓ ମହିଳାଙ୍କୁ ବିଧବା ସଜାଇବା ପାଇଁ ତାଙ୍କ ମଥାରୁ ସିନ୍ଦୁର ପୋଛିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲେ ବି ଆଇଆଇସି ଓ ଅନ୍ୟ ଜଣେ କନେଷ୍ଟବଳଙ୍କ ନାଁରେ କାହିଁକି ମାମଲା ରୁଜୁ ହୋଇନି ତାକୁ ନେଇ ପ୍ରଶ୍ନ ଉଠିଛି ।
ମେ ୨୫ ତାରିଖରେ କେରୁଆଁପାଳ ପଂଚାୟତ ଗିରିଆପାହୀ ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ପାରିବାରିକ କଳହକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ନରଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଲିଖିତ ଅଭିଯୋଗ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ କରିଥିଲେ।

