ଭୁବନେଶ୍ୱର : ଗ୍ରୋସରୀ ଗାଡ଼ିରେ ଦୁଇ କୋଟିର ଗଞ୍ଜେଇ । ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳରେ ଦୁଇ କୋଟିର ଗଞ୍ଜେଇ ଠାବ। ୨ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ। ଓଡ଼ିଶାରୁ ମହାରାଷ୍ଟ୍ରକୁ ଗ୍ରୋସରୀ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢାଉ କରିଛି। ଚଢାଉରେ ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ସହ ୨ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଏମ୍ .ଡି ପ୍ରକାଶ ଓ ଏନ୍ .ଏମ୍ ପଦ୍ମଲାଲ।
NCBର ସୂଚନା ଅନୁଯାୟୀ, କୋଟି କୋଟି ଟଙ୍କାର ଗଞ୍ଜେଇ ଓଡ଼ିଶାରୁ ବାହାର ରାଜ୍ୟକୁ ଅଭିନବ ଉପାୟରେ ଚାଲାଣ ହେଉଛି । ମହାରାଷ୍ଟ୍ରରେ ପଞ୍ଜିକୃତ ଏକ ଟ୍ରକ୍ ଦୁଇ ସପ୍ତାହ ପୂର୍ବରୁ ଓଡ଼ିଶା ଆସିଥିଲା । କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ସଂଗ୍ରହ କରି ଟ୍ରକ୍ ର ସିକ୍ରେଟ୍ ଚାମ୍ବରରେ ଭର୍ତ୍ତି କରି ଚାଲାଣ ହେଉଥିଲା । ପୋଲିସ ଓ ନାକାବନ୍ଦୀକୁ ଚକମା ଦେବା ପାଇଁ ଟ୍ରକ୍ ରେ ସର୍ଫ, ଟୁଥପେଷ୍ଟ, କେଶରଙ୍ଗ ଭଳି ବିଭିନ୍ନ ଗ୍ରୋସରି ସାମଗ୍ରୀ ନିଆଯାଉଥିଲା । ବିଶେଷ ସୂତ୍ରରୁ ସୂଚନା ପାଇ NCB ଟ୍ରକର ପିଛା କରି ଗୋଣ୍ଡିଆ ଅଞ୍ଚଳରେ ଚଢାଉ କରିଥିଲା । ନିଶା ମାଫିମାନେ ଖସି ପଳାଉଥିବା ବେଳେ ପ୍ରାୟ ୫ କିଲୋମିଟର ଧରି ଚାଲିଥିଲା ଛକାପଞ୍ଝା । ଶେଷରେ NCB ଅଧିକାରୀମାନେ ଟ୍ରକକୁ କାବୁ କରି ୧୦୦ ପ୍ୟାକେଟ ଗଞ୍ଜେଇ ଜବତ କରିଛନ୍ତି ।

