ରାୟଗଡ଼ା : ନିଖିଲ ହାଡ଼ପା ହତ୍ୟା ମାମଲାରେ ପୁଣି ଅଶାନ୍ତ ରାୟଗଡ଼ା ସହର । ପିଟଲା ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ । ରାୟଗଡା ଥାନା ସମ୍ମୁଖରେ ମାରପିଟ ସହ ପଥର ଫିଙ୍ଗା ଫିଙ୍ଗି । ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହ ଅସଦାଚରଣ କରିଥିଲେ । ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ୩ ଜଣ ଗୁରୁତର ଆହତ ସହ ଉଭୟ ଗୋଷ୍ଠୀର ଯୁବକ ଆହତ ହୋଇଛନ୍ତି। ଆହାତ ହେଲେ ପିଟିଲାସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଓ ରେଲି ସାହିର ଶୁଣ୍ଢୀ ସୂରଜ I
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଥାନା ଆଗରେ ବ୍ୟାପକ ପୁଲିସ ମୁତୟନ ହୋଇଛି। ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିକଟସ୍ଥ ଥାନାରୁ ଅଧିକାରୀଙ୍କୁ ରାୟଗଡ଼ା ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଶତ୍ରୁତା ଓ ଜୁଆଅଡ୍ଡାରୁ ଲୁଟ ଘଟଣାକୁ ନେଇ ଗତ ୯ ତାରିଖ ଦିନ ନିଖିଲକୁ ଗୋଟିଏ ଗୋଷ୍ଠୀ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ I ଏହି ଘଟଣାରେ ୯ ଜଣ ଗିରଫ ହୋଇଥିବା ବେଳେ ୨୧ ଜଣ ସମ୍ପୃକ୍ତ ଥିବା ପୁଲିସ କହିଛି I

