ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି । ଯାହାଫଳରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଯାଇଛି । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତିର ପ୍ରକୋପ ଏଭଳି ଭାବେ ଅନୁଭୂତ ହେଉଛି ।
ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଆସନ୍ତା ୩ ଦିନରେ ବଢ଼ିବ ୩ ଡିଗ୍ରି ସେଲସିୟସ । ୪୫ ଡିଗ୍ରୀ ମୁହାଁ ହେବ ପାରଦ । ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଖରା, ଭୀଷଣ ଗରମ ଓ ଅସହ୍ୟ ଗୁଳୁଗୁଳି କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଥିବା ବେଳେ, ଆଗକୁ ଆହୁରି ଉପରମୁହାଁ ହେବ ପାରଦ । ୧୭ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୪୩.୪°C ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

