ତିହିଡି- ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଏକ ସନ୍ଦେହଜନକ ମୃତ୍ୟୁର ଖବର। ଚାନ୍ଦବାଲି ଜଳସେଚନ ବିଭାଗରେ କ୍ୟାସିୟର ଭାବେ କାର୍ଯ୍ୟରତ କମଳାକାନ୍ତ ସ୍ୱାଇଁଙ୍କ ମୃତଦେହ ଆଜି ସକାଳେ କାର୍ଯ୍ୟାଳୟ ପରିସର ଏକ ଗୃହରୁ ଉଦ୍ଧାର ହୋଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ମାଛଗାଁର ଖୋକନ ସ୍ୱାଇଁଙ୍କ ପୁଅ କମଳାକାନ୍ତ ଗତ ଦୁଇ ବର୍ଷରୁ ଅଧିକ ହେବ ଚାନ୍ଦବାଲି ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିଲେ। କିଛି ମାସ ହେଲା ସେ ଚାନ୍ଦବାଲି ଏନ୍ଏସି ଅଧିନସ୍ଥ ବରେହିପୁରରେ ଏକ ଭଡାଘରେ ନିଜ ବୃଦ୍ଧା ମାଆଙ୍କ ସହ ରହୁଥିଲେ। କିନ୍ତୁ ଆଜି ସକାଳେ ଜଳସେଚନ ଅଫିସ ଭିତରେ ଥିବା ଗୃହରେ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣା ଯାଇଛି। ମୃତକଙ୍କ ନାକରୁ ରକ୍ତସ୍ରାବ ହେଉଥିବାରୁ ମୃତ୍ୟୁର କାରଣକୁ ନେଇ ନାନାଦି ସନ୍ଦେହ ସୃଷ୍ଟି ହୋଇଛି। କେମିତି ଓ କିପରି ମୃତ୍ୟୁ ହେଲା ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। କ’ଣ ଏହା ସ୍ୱାଭାବିକ ମୃତ୍ୟୁ ନାଁ ପଛରେ ଅଛି କିଛି ରହସ୍ୟ ! ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

