ଜୟପୁର : ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କରେ କୋଟିଏ ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ଘଟଣାରେ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ଶସ୍ୟ ବିକ୍ରୟରୁ ଆସିଥିବା ଟଙ୍କା ବ୍ୟାଙ୍କରେ ଜମା ନକରି ଅନ୍ୟାନ୍ୟ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥିବା ଅଭିଯୋଗ ଆସିଥିଲା ।
ଏହାକୁ ଗୁରୁତ୍ୱ ସହ କେସିସି ବ୍ୟାଙ୍କ ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ତଦନ୍ତରେ ଜଣାପଡିଛି ଯେ, ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ସୁଧାଂଶୁ ଖରା ଲ୍ୟାମ୍ପ ଟଙ୍କାରୁ କୋଟିଏ ଟଙ୍କାରୁ ଅଧିକ ରାଶି ଆତ୍ମସାତ କରିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି ।
ଏହି ଦୁଇଟି ମାମଲାରେ ସୁଧାଂଶୁ ଖରାଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରାଯାଇଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆସିବା ପରେ ଆତ୍ମସାତ ହୋଇଥିବା ସମୁଦାୟ ରାଶି ଓ ଏହି ଘଟଣାରେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି

