ରାୟଗଡା : ବ୍ୟବସାୟୀଙ୍କ ଘରୁ ଲୁଟ୍ । ରାତିରେ ଆସି ସୁନା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଘରର କବାଟ ଭାଙ୍ଗି ଆଲମିରାରୁ ନେଇଗଲେ ୮ ଭରି ସୁନା ଓ ୩ ଲକ୍ଷ ଟଙ୍କା । ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ ଦାନ ସାହିର ଶଙ୍କର ସେନାପତିଙ୍କ ଘରୁ ବଡ ଧରଣର ଲୁଟ୍ ଅଭିଯୋଗ ହୋଇଛି । ଶଙ୍କରଙ୍କ ପରିବାର ଲୋକେ ଏକ ଦଶାହ କାର୍ଯ୍ଯରେ ଯୋଗଦେବା ପାଇଁ ଭଞ୍ଜନଗର ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗି ଆଲମାରୀରୁ ସୁନା ଓ ଟଙ୍କା ଲୁଟି ନେଇଛନ୍ତି । ସକାଳୁ ଶଙ୍କର ଏନେଇ ପୋଲିସଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ । ରାତିରେ ପାଟ୍ରୋଲିଂ ବ୍ଯବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
ସେହିପରି ଆଜି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ଆହାରପୁର ଛକ ନିକଟରୁ ଲୁଟ୍ ଅଭିଯୋଗ ଆସିଛି । ମୁହଁରେ କଳାକନା ବାନ୍ଧି ଲୁଟିଲେ ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଲେ । ଲୁଟ୍ ର ଶିକାର ହୋଇଛନ୍ତି ପ୍ରତିମା ସାହୁ । ସେ ନିଜ ପରିବାର ସହ ରୁହଁନ୍ତି । ଗତକାଲି ଘରେ କେହି ନଥିବା ବେଳେ ୨ଜଣ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକରୁ ସୁନା ହାର ଛିଣ୍ଡେଇ ନେଇଛନ୍ତି । ଅନନ୍ତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

