ତିହିଡି, ୨୧.୦୪: ବାଃ ବାଃରେ ଶିକ୍ଷା ବିଭାଗ । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଆଜି ଫସର ଫାଟିଛି । ୮ଟି କ୍ଲାସ ପାଇଁ ନିୟୋଜିତ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ ଏବଂ ଗୃହ ଅଭାବରୁ ବିଦ୍ୟାଳୟ ପ୍ରତି ମୁହଁ ଫେରେଇଲେଣି ଅଭିଭାବକ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡକ ପଞ୍ଚାୟତ ଅଧିନ ଓରାଳି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶିକ୍ଷକ ଅଭାବରୁ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ବିଗତ ବର୍ଷ ବର୍ଷ ଧରି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇ ଆସୁଥିଲେହେଁ କୌଣସି ସୁଫଳ ମିଳୁନାହିଁ । ଏପରିକି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ ଏବଂ ସେ ପ୍ରଶାସନ ସହିତ ଆଲୋଚନା କରି ସମାଧାନର ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଫଳ ଶୂନ୍ । ଶେଷରେ ନିରାଶ ହୋଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଛନ୍ତି । ଖରା ଛୁଟି ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଗଲେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି କରାଯିବ ବୋଲି ଗାୟତ୍ରୀ ବେହେରା, ଦିଗମ୍ବର ରାଉତ, ବିଜୟଲକ୍ଷ୍ମୀ ରାଉତ, ସଶ୍ମିତା ଜେନା, ବିପିନ ସ୍ୱାଇଁ, ଗୋପାଳଚନ୍ଦ୍ର ବେହେରା, ସ୍ୱର୍ଣ୍ଣପ୍ରଭା ବେହେରା, ପ୍ରଦିପ କବି, ଉଦ୍ଧବ ସ୍ୱାଇଁ, ଅନିଲ ବେହେରା, ବଳରାମ ବେହେରା ଓ ଜୟୀରାମ ସାହୁ ଚେତାବନି ଦେଇଛନ୍ତି । ସୂଚନା ଥାଉକି, ଏହି ବିଦ୍ୟାଳୟଟି ବ୍ଲକର ସର୍ବପୂରାତନ ବିଦ୍ୟାଳୟ ମଧ୍ୟରେ ଅନ୍ୟତନ । ୧୯୨୮ ମସିହା ଠାରୁ ଏହି ବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶରେ ନାଁ ରଖିଛନ୍ତି । ଏହା ଉପରେ ଓରାଳି ସମେତ ହଟ୍ଟନଗର ଗ୍ରାମର ପିଲାମାନେ ପାଠ ପଢନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୪ ଏପ୍ରିଲ ମାସରେ ଏହି ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଛି । ୧ମରୁ ୮ମ ଶ୍ରେଣୀ ପାଇଁ ମାତ୍ର ରହିଛି ୩ଟି କ୍ଲାସ ରୁମ । ଗୋଟିଏ ଗୋଟିଏ କ୍ଲାସ ରୁମରେ ଏକାଧିକ ଶ୍ରେଣୀର ପିଲାମାନେ ବସିବାକୁ ବାଧ୍ୟ ହୁଅନ୍ତି । କମ୍ବୋ ଡେସ୍କ ନଥିବାରୁ ପିଲାମାନେ ଦରି ପାଲରେ ତଳେ ବସି ପାଠ ପଢନ୍ତି । ୮ଟି ଶ୍ରେଣୀରେ ୧୦୬ ଜଣ ଛାତ୍ରଛାତ୍ରଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି । ସେମାନେ କେତେକଣ ପାଠ ପଢାଉଥିବେ ତାହା ବେଶ ଅନୁମେୟ । ଏହି ସବୁ କାରଣ ପାଇଁ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ପାଠ ପଢାରେ ଘୋର ବ୍ୟାଘାତ ହେଉଥିବାରୁ ବିଗତ କିଛି ମାସ ହେଲା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ଟିସି ନେଇ ଅନ୍ୟତ୍ର ନାମ ଲେଖାଇଲେଣି । ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ରାସ୍ତା ନିର୍ମାଣ କରାଗଲେ ପୂନଶ୍ଚ ବିଦ୍ୟାଳୟର ପୂର୍ବସ୍ଥିତି ଫେରିପାରିବ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

