ଭୁବନେଶ୍ୱର, ୧୭ ଏପ୍ରିଲ ୨୦୨୬:
ପୂର୍ବତଟ ରେଳପଥ ୨୦୨୫-୨୬ ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ, ସୁରକ୍ଷା, ଗତି ବୃଦ୍ଧି ଏବଂ ଯାତ୍ରୀ ସୁବିଧା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ରେକର୍ଡ କରିଛି, ଯାହା ଏକ ସୁରକ୍ଷିତ, ଅଧିକ ଦକ୍ଷ ଏବଂ ଯାତ୍ରୀ କୈନ୍ଦ୍ରିକ ରେଳ ନେଟୱାର୍କ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଉନ୍ନୀତ ଯାତ୍ରୀ ଅଭିଜ୍ଞତା
ସମଗ୍ର ଜୋନରେ ଯାତ୍ରୀ ସୁବିଧାରେ ବ୍ୟାପକ ଉନ୍ନତି ହୋଇଛି। ୭୩ଟି ପ୍ଲାଟଫର୍ମରେ କଙ୍କ୍ରିଟ ପୃଷ୍ଠ ପ୍ରସ୍ଥାପିତ ହୋଇଥିବାବେଳେ ୬୯ଟି ଉଚ୍ଚସ୍ତରୀୟ ପ୍ଲାଟଫର୍ମ ନିର୍ମାଣ ହୋଇଛି, ଯାହା ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଏବଂ ସହଜ ଚଢ଼ା ଉତରା ସୁବିଧା ଦେଇଛି। ୩୮ଟି ଷ୍ଟେସନରେ ଆଶ୍ରୟସ୍ଥଳୀ ସମ୍ପ୍ରସାରଣ କରାଯାଇଥିବାବେଳେ ୧,୦୭୩ରୁ ଅଧିକ ବେଞ୍ଚ ସ୍ଥାପନ କରାଯାଇଛି। ୨୦ଟି ନୂତନ ଫୁଟ୍ ଓଭର୍ ବ୍ରିଜ୍ ଗତିବିଧିକୁ ଉନ୍ନତ କରିଛି। ବହୁ ଷ୍ଟେସନରେ ସର୍କୁଲେଟିଂ ଏରିଆ ଏବଂ ପ୍ରତୀକ୍ଷାଳୟ ଗୁଡିକର ଆଧୁନିକୀକରଣ କରାଯାଇଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୪ଟି ଷ୍ଟେସନର ପୁନର୍ବିକାଶ କରାଯାଇଛି, ଯାହା ସାମଗ୍ରିକ ଯାତ୍ରା ପରିବେଶକୁ ଉନ୍ନତ କରିଛି।
ସମାବେଶୀ ଭିତ୍ତିଭୂମି
ସମସ୍ତଙ୍କ ପାଇଁ ସୁବିଧା ନିଶ୍ଚିତ କରିବା ଦିଗରେ ୪୧ଟି ଷ୍ଟେସନକୁ ଦିବ୍ୟାଙ୍ଗ ସ୍ୱାବଲମ୍ବୀ କରାଯାଇଛି। ବିଭିନ୍ନ ଷ୍ଟେସନରେଦିବ୍ୟାଙ୍ଗ ଅନୁକୂଳ ର଼୍ୟାମ୍ପ୍ , ସ୍ପର୍ଶିତ ପଥ ଏବଂ ସୁଗମ ଶୌଚାଳୟ ଭଳି ସୁବିଧା ବ୍ୟବସ୍ଥା କରାଯାଇ, ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଯାତ୍ରାକୁ ଅଧିକ ସହଜ ଓ ସମ୍ମାନଜନକ କରାଯାଇଛି।
ଦ୍ରୁତ ଏବଂ ସୁଗମ ସଂଚାଳନ
ପରିଚାଳନା ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ସହ ଟ୍ରେନ ପରିଚାଳନାରେ ଲକ୍ଷଣୀୟ ସୁଧାର ହୋଇଛି। ଟ୍ରାକ ଅପଗ୍ରେଡେସନ ଦ୍ୱାରା ୨୩୬ କି.ମି. ରେଳପଥକୁ ୧୩୦ କି.ମି./ଘଣ୍ଟା ଓ ୨୬୬ କି.ମି.କୁ ୧୧୦ କି.ମି./ଘଣ୍ଟା ଗତି ପାଇଁ ଉନ୍ନତ କରାଯାଇଛି। ୯ଟି ଷ୍ଟେସନରେ ଲୁପ୍ ଲାଇନ ଗତି ବୃଦ୍ଧି କରାଯାଇଥିବାବେଳେ ୨୨ଟି ସ୍ଥାୟୀ ଗତି ପ୍ରତିବନ୍ଧକ ହଟାଯାଇଛି, ଯାହା ଟ୍ରେନ ଚଳାଚଳକୁ ଅଧିକ ସୁଚାରୁ କରିଛି।
ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ
ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ୨୮,୧୪୬ ଟ୍ରାକ୍ କିଲୋମିଟରରେ ଅଲ୍ଟ୍ରାସୋନିକ ଫଲଟ ଡିଟେକ୍ସନ ପରୀକ୍ଷା କରାଯାଇଛି। ୩୯୦ କି.ମି. ରେଳ, ୫୬୭ କି.ମି. ସ୍ଲିପର ଏବଂ ୫୪୪ କି.ମି. ଫାସ୍ଟେନିଂ ପୁନର୍ନବୀକରଣ କରାଯାଇଛି। ୨୩୯ଟି ସେତୁର ମରାମତି/ପୁନର୍ନିର୍ମାଣ ସହ ୬୪ଟି ସେତୁ ଆପ୍ରୋଚ୍ ପ୍ରଣାଳୀକୁ ଶକ୍ତିଶାଳୀ କରାଯାଇଛି।
କର୍ମଚାରୀ କଳ୍ୟାଣ ଏବଂ ପରିବେଶ ସୁରକ୍ଷା
କର୍ମଚାରୀ କଳ୍ୟାଣରେ ୧୦୩ଟି କ୍ୱାର୍ଟର ନିର୍ମାଣ ଏବଂ ୧,୩୫୪ କର୍ମଚାରୀଙ୍କ ପାଇଁ ପିରିଅଡିକାଲ ମେଡିକାଲ ପରୀକ୍ଷା କରାଯାଇଛି। ପରିବେଶ ସୁରକ୍ଷା ଦିଗରେ ୬୫ଟି ସ୍ଥାନରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯାଇଛି। ୩୯,୦୦୦ ମେଟ୍ରିକ ଟନ୍ରୁ ଅଧିକ ସ୍କ୍ରାପ ନିଷ୍କାଷଣ କରାଯାଇଥିବାବେଳେ ଜମି ପରିଚାଳନାରୁ ରୁ. ୬୭.୩୦ କୋଟି ଆୟ ହୋଇଛି, ଯାହା ଲକ୍ଷ୍ୟକୁ ଅତିକ୍ରମ କରିଛି।
ସମଗ୍ର ଭାବେ, ୨୦୨୫–୨୬ ମସିହାରେ ପୂର୍ବତଟ ରେଳପଥର ପ୍ରଗତି ଭିତ୍ତିଭୂମି ସୁଦୃଢ଼ୀକରଣ, ସୁରକ୍ଷା ପ୍ରାଥମିକତା ଏବଂ ଯାତ୍ରୀ କେନ୍ଦ୍ରିତ ପଦକ୍ଷେପଗୁଡ଼ିକର ଏକ ଦୃଢ଼ ସମନ୍ୱୟକୁ ପ୍ରତିଫଳିତ କରେ। ପ୍ରମୁଖ କାର୍ଯ୍ୟକ୍ଷମ କ୍ଷେତ୍ରଗୁଡ଼ିକରେ ସ୍ଥିର ଉନ୍ନତି କେବଳ ସେବା ନିର୍ଭରଯୋଗ୍ୟତା ଏବଂ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରେ ନାହିଁ ବରଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ମୂଳଦୁଆ ମଧ୍ୟ ସ୍ଥାପନ କରେ। ସୁରକ୍ଷା, ଗତି ଏବଂ ଅନ୍ତର୍ଭୁକ୍ତି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ଜୋନ୍ ନୂତନ ଗତି ସହିତ ଆଗକୁ ବଢ଼ି ଚାଲିଛି, ଯାହା ଭାରତୀୟ ରେଳପଥର ସାମଗ୍ରିକ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

