ଭୁବନେଶ୍ୱର : କିଟ୍ରେ ୬୧ତମ ଫେମିନା ମିସ୍ ଇଣ୍ଡିଆ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅତି ସୁନ୍ଦର ଭାବେ କ୍ଷେତ୍ରକୁ ସଜାଯାଇଛି । ଫେମିନା ମିସ୍ ଇଣ୍ଡିଆର ୬୧ ବର୍ଷ ମଧ୍ୟ ଏହା ହେଉଛି ସବୁଠାରୁ ବଡ଼ ଓ ଭଲ ଧରଣର ଆୟୋଜନ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ବର୍ଗର ୧୫ହଜାର ଲୋକଙ୍କ ବସିବା ପାଇଁ ଆୟୋଜନ କରାଯାଇଛି । ଏଠାରେ ୭ ହଜାର ନିମନ୍ତ୍ରିତ ଅତିଥି ଓ ୮ ହଜାର କିଟ୍ କର୍ମଚାରୀ ଓ ଛାତ୍ରଛାତ୍ରୀ ବସି କାର୍ଯ୍ୟକ୍ରମ ଦେଖିବେ ।
କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀରେ ଥିବା ୯ଜଣ ଜୁରି ସଦସ୍ୟ ଇତି ମଧ୍ୟରେ ଭୁବନେଶ୍ୱରରେ ଆସି ପହଞ୍ଚିଯାଇଛନ୍ତି । ଜୁରୀ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ମଧୁର ଭଣ୍ଡାରକର, ଜିନତ ଅମନ୍, ନେହା ଧୁପିଆ, ଟେରେନ୍ସ ଲୁଇସ୍, ଅମାଲ ମଲିକ୍, ସିମରନ୍, ସେଲିନା ଜେଟଲି, ଦୁତି ଚାନ୍ଦ ଓ ବର୍ତ୍ତିକା ସିଂ । ଏଥିରେ ଯୋଗଦେବା ପାଇଁ ଅନ୍ୟ ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଏଠାରେ ପହଞ୍ଚିଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିବେ ମନିଷ ପଲ୍ ଓ ସାରା ଜେନ ଦିଅସ୍ । ସେହିପରି ବଲିଉଡ୍ ଅଭିନେତା ଇଶାନ ଖଟ୍ଟର, ବିଶିଷ୍ଟ କଣ୍ଠଶିଳ୍ପୀ ଜୁବିନ୍ ନଉଟିଆଲ୍, ନୃତ୍ୟାଙ୍ଗନା ତଥା ଅଭିନେତ୍ରୀ ଲରେନ୍ ଗୋଟିଲେବ୍ ଆଦି କଳାକାରମାନେ ଏଥିରେ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସୁଯୋଗ ଦେବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରୟାସ ଓ ବନ୍ଦୋବସ୍ତ କରିଛନ୍ତି । ଓଡ଼ିଶାର ପାରମ୍ପରିକ ଓଡ଼ିଶୀ ନୃତ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ପରିବେଷଣ ହେବ । ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶୀ ଉପରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ତାଙ୍କ ଦଳ ନୃତ୍ୟ ପରିବେଷଣ କରିବେ । ସେହିପରି ଓଲିଉଡ଼ କଳାକାରଙ୍କ ଦ୍ୱାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ବନ୍ଦୋବସ୍ତ କରାଯାଇଛି ।
ଏହି କାର୍ଯ୍ୟକ୍ରମ ପାଇଁ ଟାଇମ୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବିନିତ ଜୈନ ଓ ସିଇଓ ରୋହିତ ଗୋପ କୁମାର ମଧ୍ୟ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ଠିକ୍ ୬ଟା ୪୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ୭.୪୫ ଓଲିଉଡ୍ ଓ ଓଡ଼ିଶୀ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୭.୪୫ରୁ ୧୧ଟା ୩୦ ପର୍ଯ୍ୟନ୍ତ ଫେମିନା ମିସ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚାଲିବ ।

