ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ କରିଛନ୍ତି ସିରିଜ ଆକ୍ରମଣ । ଏହି ଆକ୍ରମଣରେ ୨୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇରାନ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକ ଉପରେ ମିଶାଇଲ୍ ମାଡ଼ କରି ଜବାବ ଦେଇଛି । ଏହି ଆକ୍ରମଣ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତେହେରାନକୁ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ତେହେରାନଙ୍କୁ ଦେଇଥିବା ସମୟ ସୀମା ମଧ୍ୟ ନିକଟତର ହେଉଛି । ଟ୍ରମ୍ପ ସିଧାସଳଖ ଇରାନକୁ ଧମକ ଦେଇଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଖୋଲି ଦିଅ, ନଚେତ୍ ଏହା ନର୍କ ହେବ । ତେହେରାନ ପଛକୁ ହଟିବାର କୌଣସି ସଙ୍କେତ ଦେଖାଇ ନାହିଁ ।
ଏଥିସହ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଦେଇଥିବା ସମୟସୀମା ସୋମବାର ରାତିରେ ଶେଷ ହୋଇଛି । ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ଆମେରିକା ଇରାନର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ଟାର୍ଗେଟ କରିବ । ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦେଇ କହିଛନ୍ତି ଯେ, ‘ମଙ୍ଗଳବାର ଅର୍ଥାତ୍ ଆଜି ଇରାନ ପାଇଁ ‘ପାୱାର ପ୍ଲାଣ୍ଟ ଦିବସ’ ଏବଂ ‘ସେତୁ ଦିବସ’, ଉଭୟ ଗୋଟିଏ ଦିନରେ ହେବ ।
ତେହେରାନର ସରିଫ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି କ୍ୟାମ୍ପସକୁ ଟାର୍ଗେଟ କରି ଇସ୍ରାଏଲୀ ଆକ୍ରମଣ କରିବା ପରେ ସହରର ଆଜାଦୀ ସ୍କୋୟାର ନିକଟରୁ କଳା ଧୂଆଁ ଉଠିଥିଲା । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ତେହେରାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡର ଗୁପ୍ତଚର ମୁଖ୍ୟ ମେଜର ଜେନେରାଲ ମାଜିଦ ଖାଦେମି ମଧ୍ୟ ସାମିଲ ଥିଲେ ।
ଜାଣିରଖନ୍ତୁ ଯେ, ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୧୯୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଇରାନ ସରକାର କିଛି ଦିନ ଧରି ମୃତ୍ୟୁ ସଂଖ୍ୟାକୁ ଅପଡେଟ୍ କରିନାହିଁ । ଇସ୍ରାଏଲ ସ୍ଥଳ ଆକ୍ରମଣ କରିଥିବା ଲେବାନନରେ ୧୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ସେଠାରେ ମଧ୍ୟ ୧୧ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି । ଉପସାଗରୀୟ ଆରବ ଦେଶଗୁଡ଼ିକରେ ଦୁଇ ଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁଦ୍ଧରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି ।

