ପୁରୀ : ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା । ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ । ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କରିଛନ୍ତି ଭୋଇ ସେବକ ମାନେ । ମହାପ୍ରଭୁ ଏଠାରେ ମାନବ ରୂପରେ ଲୀଳା କରୁଛନ୍ତି । ଯେମିତି ଅତ୍ୟଧିକ ଶୀତ ହେଲେ ଘୋଡ ବସ୍ତ୍ର ଲାଗି ହେଉଛି । ଠିକ୍ ସେହିପରି ଅତ୍ୟଧିକ ଗରମ ଲାଘବ ନିମନ୍ତେ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପ ଖେଳିଥାନ୍ତି । ମହାପ୍ରଭୁ ନୌକା ବିହାର କରୁଥିବା ଡଙ୍ଗାଗୁଡ଼ିକୁ ପାଣିରୁ ବାହାର କରାଯାଇ ଆବଶ୍ୟକୀୟ ମରାମତି ପରେ ଏହାକୁ ରଙ୍ଗ କରାଯାଇ ଚନ୍ଦନ ଚାପରେ ବ୍ୟବହୃତ କରାଯିବ ।
ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି । ଏହି ଭଳି ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

