ତିହିଡି, ୦୧.୦୪: ବେଆଇନ୍ ଗୋ-ଚାଲାଣ ରୋକିବାରେ ପୋଲିସ ବିଫଳ । ଭଦ୍ରକ-ଚାନ୍ଦବାଲି ରାଜପଥରେ ଦୈନିକ ଟ୍ରିପ୍ ଟ୍ରିପ୍ ଗୋରୁ ବାହାରକୁ ଚାଲାଣ ହେଉଛନ୍ତି । କେବଳ ରାତିରେ ନୁହେଂ ବରଂ ଦିନ ଦହାଡେ ମଧ୍ୟ ଚାଲାଣ ହେଉଥିବା ଏବଂ ପୋଲିସ ଜାଣତରେ ହେଉଥିବା ଅଭିଯୋଗ କରିଛନ୍ତି ଗୋ-ସେବକ । ପୋଲିସ ଠାରୁ ଅଧିକ ସୂରାକ ପାଉଛନ୍ତି ଏହି ଗୋ-ସେବକ ।

କେଉଁଠୁ ଗୋରୁ ଗାଡି ଲୋଡ୍ ହେଲା ଏବଂ କେଉଁ ବାଟ ଦେଇ ଯିବ ସବୁର ତଥ୍ୟ ପାଇବା ପରେ ପୋଲିସକୁ ଖବର ଦେଉଛନ୍ତି ହେଲେ ପୋଲିସ ଆସିବାରେ ବିଳମ୍ବ କରୁଥିବାରୁ ଉକ୍ତ ଗୋରୁ ବୋଝେଇ ଗାଡି ଖସି ପଳେଇ ଯାଉଛନ୍ତି । କେତେକ ସ୍ଥଳରେ ଗୋ-ସେବକ ମାନେ ରାଜପଥରେ ଗାଡି ଅଟକାଇବାକୁ ଉଦ୍ୟମ କରୁଛନ୍ତି ହେଲେ ଚାଳକମାନେ ଅତି ଦୃତ ଗତିରେ ସେମାନଙ୍କୁ ସାଇଟ୍ ମାରି ପଳେଇ ଯାଉଛନ୍ତି । ଏହି କାର୍ଯ୍ୟ ପାଇଁ ସେମାନଙ୍କ ଜୀବନ ମଧ୍ୟ କେତେବେଳେ ଚାଲିଯିବ କହିବା ବାହୁଲ୍ୟ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସିନ୍ଦୋଳ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ । ରାତି ପ୍ରାୟ ୧୨ ଘଟିକା ସମୟରେ ବେଆଇନ୍ ଗୋରୁ ବୋଝେଇ ଗାଡିକୁ ଗୋ-ସେବକମାନେ ପିଛା କରିଥିଲେ । ଚାଳକ ନିଜକୁ ଖସି ପଳେଇ ଯିବାର ଲକ୍ଷ୍ୟରେ ଗାଡି ଚାଳନା କରିଥିବାରୁ ଗାଡିଟି ଭାରସମ୍ୟ ହରାଇ ବସିଥିଲା ଏବଂ ରାସ୍ତାର ଦକ୍ଷିଣ ପାଶ୍ୱର୍କୁ ଓଲଟି ଯାଇଥିଲା । ଗାଡି ଅତି ଦୟନୀୟ ଅବସ୍ଥାରେ ଗାଡିରେ ବୋଝେଇ ହୋଇଥିବା ଷଣ୍ଢ ସମେତ ୮ଟି ଗୋରୁକୁ ଉଦ୍ଧାର କରାଯାଇଥିବା ବେଳେ କୌଶଳ କ୍ରମେ ଚାଳକ ଖସି ପଳେଇ ଯାଇଥିଲେ । ବିଚରା ଖଲାସି ଗୋ-ସେବକମାନଙ୍କ ଧରା ପଡିଥିଲା ଏବଂ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଗୋରୁଗୁଡିକ ଗୋଶାଳାରେ ଛାଡି ଦେଇଥିବା ସୂଚନଇ ମିଳିଛି । ତେବେ ରାତିରେ ପୋଲିସ ପକ୍ଷରୁ ଗଦି ବଜାରରେ ନାକାବନ୍ଦି ଚାଲିଥିବା ବେଳେ କିପରି ଭାବେ ଉକ୍ତ ବେଆଇନ୍ ଗୋରୁ ବୋଝେଇ ଗାଡି ଅତିକ୍ରମ କଲା ଏବଂ ପୋଲିସ ଜାଣତରେ ଏହି ବେପାର ହେଉଥିବା ଅଭିଯୋଗ କରିଛନ୍ତି ଗୋ-ସେବକ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାର ତଦନ୍ତ କରିବା ସହିତ ବିହିତ ପଦକ୍ଷେପ ନେବାକୁ ରଘୁନାଥ ଦାସ, ଜୀବନ ବଳ, ସୁକ ଦାସ, ଭାଗିରଥି ଦାସ, ବଳରାମ ଜେନା, ସୁମନ ପରିଡା, ରଞ୍ଜନ ପରିଡା, ବାବାଜୀ ପରିଡା ଓ ହରିଆ ପରିଡା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ଆଇଆଇସି ରୋଜାଲିନୀ ବେହେରା ଗୋ-ସେବକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କୌଣସି କାରଣରୁ ଖଲାସି ଗୁରୁତର ହୋଇଥିବା ସେ ଜାଣିବାକୁ ପାଇଛନ୍ତି । ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ମଧ୍ୟ କହିଛନ୍ତି । ଅନ୍ୟପଟେ ଥାନାରେ ଅଧିକାଂଶ କର୍ମଚାରୀ ଭଦ୍ରକ ଡିୟୁଟିରେ ଯାଇଥିବାରୁ ନାକାବନ୍ଦି ସମ୍ଭବ ହୋଇ ପାରନି । ପୋଲିସ ସର୍ବଦା ବେଆଇନ୍ ଗୋ-ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

