ତିହିଡି, ୨୬.୦୩: ଡବଲ୍ ଇଞ୍ଜିନ ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ଚାଷୀଙ୍କ ପକ୍ଷରୁ ଗଦି ବଜାରରେ ରାଜପଥ ଅବରୋଧ କରି ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ଧାନ ବିକ୍ରି କରିବା ଲାଗି ପଞ୍ଜିକରଣ କଲୁ । ଧାନ ଅମଳର ବହୁ ବିଳମ୍ବରେ ମଣ୍ଡି ଖୋଲିଲ । ସମିତି ମାଧ୍ୟମରେ କାଁଭାଁ ଧାନ କିଣିଲ ହେଲେ ମିଲର ଆବଶ୍ୟକ ମୁତାବକ ଲିପ୍ଟିଂ କରୁନି । ଯାହା ଫଳରେ ଟଙ୍କା ମିଳୁନି । ଏଥିସହ ଟାରଗେଟ ବାବଦରେ ଆଜିକାଲି କହି ଟାଳି ଚାଲୁଛ । ରାତି ପାହିଲେ ମଣ୍ଡିରେ ଚାଷୀଙ୍କ ଉତ୍ତେଜନା, ଚାଷୀଙ୍କ ଶରବ୍ୟର ଶିକାର ହେଉଛି ମଣ୍ଡିର କର୍ମକତ୍ତର୍ତ୍ତା । ଆଉ କିଛିଦିନ ପରେ ମଣ୍ଡି ବନ୍ଦ ହେବ । ଏବେ କହୁଛ ଚାଷୀଙ୍କ ଟୋକନ୍ ମୁତାବକ ମାତ୍ର ୩୦ ପ୍ରତିଶତ ଧାନ ନେବ ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅମୃତପୁର ଓ ଜାମଯୋଡି ସେବା ସମବାୟ ସମିତିର ଶତାଧିକ ଚାଷୀ ମିଳିତଭାବେ ଗଦି ବଜାରରେ ସକାଳ ପ୍ରାୟ ୭ ଘଟିକାରେ ଭଦ୍ରକ-ଚାନ୍ଦବାଲି ରାଜପଥ ଅବରୋଧ କରାଯାଇଥିଲା ।

ଧାନ ବୋଝେଇ ଟ୍ରକ୍ଟରକୁ ରାଜପଥର ରଖି ଚାଷୀମାନେ ଯୋଗାଣ ବିଭାଗ ବିରୋଧରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜପଥର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଫଳରେ ଅନାବଶ୍ୟକ ଭାବେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ପ୍ରଥମେ ତିହିଡିର ଅତିରିକ୍ତ ତହସିଲଦାର ନମିତା ଧଳ ଓ ଯୋଗାଣ ନୀରିକ୍ଷକ ଚାଷୀଙ୍କୁ ଭେଟି ଆଲୋଚନା କରି ବିଫଳ ହୋଇଥିଲେ । ପରେ ବିଡିଓ ନିରଞ୍ଜନ ବେହେରା ମଧ୍ୟ ବିଫଳ ହୋଇଥିଲେ । ଶେଷରେ ଉପଜିଲ୍ଲାପାଳ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ । ସୋମବାର ସୁଦ୍ଧା ସବୁ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଅପରାହ୍ନ ପ୍ରାୟ ୫ ଘଟିକାରେ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଏହି ୧୦ ଘଣ୍ଟାକାଳ ରାସ୍ତାରୋକ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଚାଷୀ ମାରଣ ନୀତି ପ୍ରୟୋଗ କଲେ ପ୍ରଶାସନକୁ ଏପରି ହଇରାଣ ହରକତ ହେବା ନିସନ୍ଦେହ । ତେବେ ପ୍ରତିଶୃତି ପାଳନରେ ପ୍ରଶାସନ ଖିଲାପ କଲେ ପରିସ୍ଥିତି ଭୟାଭୟ ହେବ ବୋଲି ଚାଷୀଙ୍କ ପକ୍ଷରୁ ଚେତାବନି ଦିଆଯାଇଛି । ମିଳିଥିବା ସୂଚନା ଅନୁଯାଇ, ଅମୃତପୁର ସମିତିର ୬୩୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏଯାବତ ମଣ୍ଡି ପକ୍ଷରୁ ୨୦ ହଜାର ୩୩୯ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ବେଳେ ୭ ହଜାର ବ୍ୱିଣ୍ଟାଲ ଧାନ ମିଲର ଲିପ୍ଟିଂ କରିନଥିବା ଜଣାଯାଇଛି । ଆହୁରି ୧୦୧ ଜଣ ଚାଷୀଙ୍କ ଟୋକନ୍ ମୁତାବକ ଧାନ ମଣ୍ଡି ପକ୍ଷରୁ କିଣାନଗଲେ ଚାଷୀଙ୍କ ସମସ୍ୟା ଦୂର ହେବନାହିଁ । ସେହିପରି ଜାମଯୋଡି ସମିତିରେ ମୋଟ୍ ୬୨୦ ଜଣ ଚାଷୀ ଧାନ ବିକିବା ଲାଗି ପଞ୍ଜିକରଣ କରିଥିଲେ । ପର୍ଯ୍ୟାୟକ୍ରମେ ସମିତି ପକ୍ଷରୁ ୨୨ ହଜାର ୯୮୧ କ୍ୱିଣ୍ଟାଲ ଧାନ କିଣିଥିବା ବେଳେ ମିଲରଙ୍କ ମନମାନିରେ ଏଯାବତ ମାତ୍ର ୧୪ ହଜାର ୭୩୯ କ୍ୱିଣ୍ଟାଲ ଧାନ ଲିପ୍ଟିଂ ହୋଇଛି । ଯାହା ଫଳରେ ଅଧିକାଂଶ ଚାଷ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଟୋକନ୍ ମୁତାବକ ଆହୁରି ୬ ହଜାର ୪୦୦କ୍ୱିଣ୍ଟାଲ ଧାନର ଟାରଗେଟ୍ ରହିଛି । ଆଜିର ବିବାଦ ମଧ୍ୟରେ ଏହି ସମିତିକୁ ୧ ହଜାର କ୍ୱିଣ୍ଟାଲ ଧାନର ଟାରଗେଟ ମିଳିଛି ଯାହା ସମୂଦ୍ରକୁ ଶଙ୍ଖେ ପରି । ଅମୃତପୁର ସମିତିର ସଭାପତି ଅଜୟ ରାଉତ, ରମେଶ ଚନ୍ଦ୍ର ବଳ, ବିଷ୍ଣୁ ମଳିକ, ବାନୁ ବଳ, ଯୁଧିଷ୍ଠିର ମଳିକ, ପ୍ରହ୍ଲାଦ ସେନାପତି, ଅନ୍ମଥ ବାରିକ, ରବିନ୍ଦ୍ର ମହାନ୍ତି, ଶିଶିର ବଳ, ଭାଗିରଥି ବଳ ଓ ଶାନ୍ତନୁ ବଳ ଏବଂ ଜାମଯୋଡି ସମିତିର ସଭାପି ଅର୍ଜନ ଚରଣ ନାୟକ, ସୁଦର୍ଶନ ନାୟକ, କିଶୋର ଜେନା, ଶାନ୍ତନୁ ପତି, ଅଜୟ ନାୟକ, ରମାକାନ୍ତ ମହାନ୍ତି, ବିଦ୍ୟାଧର ଦାସ, ଶଶିକାନ୍ତ ନାୟକ, ମାୟାଧର ଧଳ, ବିନୋଦ ପାଢୀ, ସନାତନ ପାଢୀ, ମଧସୂଦନ ଧନୀ, ଅରୁଣ ସାମଲ, ଶଙ୍କର୍ଷଣ ଧଳ, କନକ ଧନୀ, କା୍ର୍ତିକ ଧଳ ଓ ସୀତାକାନ୍ତ ପାତ୍ର ପ୍ରମୁଖ ଶତାଧିକ ଚାଷୀ ଉକ୍ତ ରାଜପଥ ଅବରୋଧରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ସଞ୍ଜୟ ଦାସଙ୍କ ରିପୋର୍ଟ ।

