କୋରାପୁଟ : ଜନବସତି ମୁହାଁ ଭାଲୁ। ଖାଦ୍ୟ ଅନ୍ବେଷଣରେ ଜନବସତିରେ ଘୁରି ବୁଲୁଛି ଭାଲୁ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ଦୁଇଦିନ ଧରି ଭାଲୁ ଆତଙ୍କ ଖେଳାଇଛି l ରାତି ହେଲେ ଅନକାଡେଲି ଗାଁର ନିକଟ ବଣ୍ଡାବସା ଆଖୁ କିଆରିରେ ପଶି ଆଖୁ ଖାଇ ଚାଷ ନଷ୍ଟ କରୁଛି । ଦିନ ହେଲେ ଜଙ୍ଗଲକୁ ଫେରି ଯାଉଛି । ଭାଲୁକୁ ମାଛକୁଣ୍ଡ ମୁଖ୍ୟ ବଜାର ରାସ୍ତାରେ ଦେଖି ଲୋକେ ଭୟଭୀତ । ବନ ବିଭାଗ ପହଞ୍ଚି ଭାଲୁର ଗତିପଥ ଉପରେ ନଜର ରଖିଛି । ଭାଲୁଟି ଜଙ୍ଗଲରେ କିପରି ରହିବ ବନବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଗତମାସରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ଜଣେ ମହିଳା ଭାଲୁ ଆକ୍ରମଣର ଶୀକାର ହୋଇଥିଲେ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ଲକ୍ଷ୍ମୀ ଗଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ । ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟରେ ଥିବା ପଡିଆକୁ ଯାଇଥିଲେ । ହଠାତ ସେହି ସମୟରେ ୩ଟି ଭାଲୁ ଆସି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଭୟଭୀତ ହୋଇ ଅନ୍ୟ ମହିଳାମାନେ ଚିତ୍କାର କରିଥିଲେ । ଯାହାଦ୍ୱାରା ଭାଲୁଗୁଡ଼ିକ ଧାଇଁ ପଳାଇଥିଲେ । ଗୁରୁତର ମହିଳାଙ୍କୁ ପ୍ରଥମେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।

