୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଇରାନର ଦକ୍ଷିଣ ଉପକୂଳରେ ଥିବା ଶକ୍ତିଶାଳୀ ମିସାଇଲ୍ ଘାଟିଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା କହିଛି ଆମେରିକା ସେନା । ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ ଦେଇ ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ହୋଇଥାଏ । ଇରାନ ଏହି ପଥକୁ ବନ୍ଦ କରିବାକୁ ଚେଷ୍ଟା କରିବା ସହ ନିଜର ଆଣ୍ଟି-ସିପ୍ ମିସାଇଲ୍ ମୁତୟନ କରିଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି ।
ଏହି ଆକ୍ରମଣରେ ଆମେରିକା ୫୦୦୦ ପାଉଣ୍ଡ ଓଜନର “ଡିପ୍ ପେନିଟ୍ରେଟର” ବା ବଙ୍କର-ବଷ୍ଟର ବୋମା ବ୍ୟବହାର କରିଛି । ବୋମାଗୁଡ଼ିକ ମାଟିର ବହୁ ଗଭୀରରେ ଥିବା କିମ୍ବା ପଥର ତଳେ ଲୁଚି ରହିଥିବା ଶତ୍ରୁର ମିସାଇଲ୍ ଷ୍ଟୋରେଜ୍ ଏବଂ ଲଞ୍ଚ୍ ପ୍ୟାଡ୍ କୁ ସହଜରେ ଧ୍ୱଂସ କରିପାରେ । ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା $୧୦୦ ପାଖାପାଖି ପହଞ୍ଚିଛି । ସେପଟେ ଇରାନ ଏହାକୁ ନିଜ ଦେଶ ଉପରେ ଆକ୍ରମଣ ବୋଲି କହିଛି ଏବଂ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି । ଚୀନ୍ ଏବଂ ରୁଷ ଏହି ଆକ୍ରମଣ ପାଇଁ ଆମେରିକାକୁ ସମାଲୋଚନା କରିଥିବାବେଳେ ସାଉଦି ଆରବ ପରି ଦେଶଗୁଡ଼ିକ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ସମର୍ଥନ କରିଛନ୍ତି । ଆମେରିକା ସ୍ପଷ୍ଟ କରିଛି ଯଦି ଇରାନ ସାମୁଦ୍ରିକ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରେ, ତେବେ ଏହିଭଳି ଆହୁରି ଅଧିକ ଆକ୍ରମଣ କରାଯିବ । ବର୍ତ୍ତମାନ ସେହି ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ରହିଛି ।

