ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ତଥା ସେମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ‘ୱି କେୟାର ଇନିସିଏଟିଭ୍’ ଅନ୍ତର୍ଗତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବିଶ୍ୱାସ” ଶନିବାର ସନ୍ଧ୍ୟାରେ ମୈତ୍ରୀ ବିହାର ଥାନା ପରିସରରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆରକ୍ଷୀ ଆୟୁକ୍ତ ଡ଼. ସୁରେଶ ଦେବଦତ୍ତ ସିଂହ, ଭା.ପୁ.ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ସମ୍ମାନ ରକ୍ଷା କରିବା ପାଇଁ କମିଶନରେଟ୍ ପୋଲିସ ସର୍ବଦା ପ୍ରତିବଦ୍ଧ । ସେ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ଜୀବନରେ ସକ୍ରିୟ ରହିବା ସହ ଯେକୌଣସି ସମସ୍ୟା ବା ଆବଶ୍ୟକତା ସମୟରେ ପୋଲିସ ସହିତ ନିରନ୍ତର ଯୋଗାଯୋଗ ରଖିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳ, ଭା.ପୁ.ସେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପୋଲିସ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଥିବା ସମ୍ପର୍କର ସେତୁକୁ କିପରି ଅଧିକ ମଜବୁତ କରାଯାଇପାରିବ ସେହି ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏଥିସହିତ କଟକ ଡିସିପି ଶ୍ରୀ ଋଷିକେଶ ଖିଲାରୀ ମଧ୍ୟ ଉପସ୍ଥିତ ରହି ତାଙ୍କର ବାର୍ତ୍ତା ରଖିଥିଲେ।ବରିଷ୍ଠ ନାଗରିକଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଧ୍ୟାନ ଦିଆଯାଇଥିଲା । ବିଶିଷ୍ଟ ମନସ୍ତତ୍ତ୍ୱବିତ ଡ଼. ଶୁଭେନ୍ଦୁ ମିଶ୍ର ‘ବରିଷ୍ଠ ନାଗରିକଙ୍କ ସ୍ମୃତି ଓ ମସ୍ତିଷ୍କ ସ୍ୱାସ୍ଥ୍ୟ’ ତଥା ସାମାଜିକ ସକ୍ରିୟତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେହିପରି ଯୋଗ ଓ ଧ୍ୟାନ ବିଶେଷଜ୍ଞ ଶ୍ରୀ ସୁଧାଂଶୁ ଅଧିକାରୀ ‘ଯୋଗ ଓ ଧ୍ୟାନରେ ଜୀବନର ଆନନ୍ଦ’ ବିଷୟରେ ଆଲୋଚନା କରି ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି, ଅତିରିକ୍ତ ଡିସିପି ଶ୍ରୀ ସ୍ୱରାଜ ଦେବତା ଏବଂ ଏସିପି ସୁଶ୍ରୀ ସୁଚିସ୍ମିତା ଦାସ ଏକ ସ୍ୱତନ୍ତ୍ର ସାଇବର ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେମାନେ ବିଭିନ୍ନ ପ୍ରକାର ସାଇବର ଠକେଇ ବିଷୟରେ ସୂଚନା ଦେବା ସହ ଏଥିରୁ କିପରି ସତର୍କ ରହିବେ ସେ ନେଇ ଉପଯୋଗୀ ଉପଦେଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ଚିତ୍ତାକର୍ଷକ ସାଂସ୍କୃତିକ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ଏଥିରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସମେତ ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଏବଂ ସହାୟକ ଆରକ୍ଷୀ ଆୟୁକ୍ତ ଶ୍ରୀ ସତ୍ୟଜିତ ଦାସ ଓ ଏସିପି ଶରତ ସାହୁଙ୍କ କଣ୍ଠର ସୁମଧୁର ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଭୁବନେଶ୍ୱରର ଗିରିଶ ସଙ୍ଗୀତ ଓ କଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମନୋରମ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଅତିରିକ୍ତ ଡିସିପି ଶ୍ରୀ ମାନସ ରଞ୍ଜନ ଗଡ଼ନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ ପରିଚାଳନା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଉତ୍ସାହର ସହ ଯୋଗଦେଇଥିଲେ ଏବଂ ପୋଲିସ ସହିତ ସମ୍ପର୍କ ଓ ବିଶ୍ୱାସକୁ ଆହୁରି ମଜବୁତ କରିବାରେ ଏହା ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ ।

