ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାର ଗ୍ରାମ ପଂଚାୟତସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟର ବିକାଶ ପାଇଁ ସରକାରଙ୍କ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କ୍ରମେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଲନ୍ଦାସାରଗାଁ ପଂଚାୟତର ହିଞ୍ଜଳା ଠାରେ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାର ନିର୍ଦ୍ଦିଷ୍ଟ ସମୟସୀମା ବାବଦରେ ସୂଚନା ଦେବାକୁ ବିଧାୟକ ମାନସ କୁମାର ଦତ୍ତ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ତେବେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଚୟନ ପ୍ରକ୍ରିୟା କିମ୍ବା କାର୍ଯ୍ୟକାରିତାର ଆଧାର ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ସେ ପ୍ରଶ୍ନ ମାଧ୍ୟମରେ ନିବେଦନ କରିଥିଲେ । ଅନୁରୂପ ଭାବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ରାଜ୍ୟରେ ଜିଲ୍ଲାସ୍ତରରେ ସ୍ଥାପିତ ହୋଇଥିବା ବିଦ୍ୟାଳୟ ସଂଖ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବିବରଣୀ ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ଅନୁରୋଧ କରିଥିଲେ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜଳା ଠାରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହୋଇ ବିଭାଗକୁ ହସ୍ତାନ୍ତର ହେବା ପରେ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହାକୁ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁସାରେ ୨୦୨୫-୨୬ ରୁ ୨୦୨୮-୨୯ ଆର୍ôଥକ ବର୍ଷ ମଧ୍ୟରେ ପଂଚାୟତସ୍ତରରେ ୨୨୦୦ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଗ୍ରାମ ପଂଚାୟତସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସ୍ଥାପନ ନିମନ୍ତେ ସରକାରଙ୍କ ଦ୍ୱାରା ଅନୁମୋଦିତ ନିୟମାବଳୀ ଅନୁସାରେ ବିଦ୍ୟାଳୟ ଚୟନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି ।

