ବାଲେଶ୍ୱର ଜିଲ୍ଲାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ନେଇ ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି । ନିର୍ମାଣାଧୀନ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତାବସ୍ଥା ଓ ଅଗ୍ରଗତି ସମ୍ପର୍କରେ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତପ୍ରଶ୍ନ ଉଠାଇଛନ୍ତି । ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ସହିତ ଏଥି ନିମନ୍ତେ ଜାରି ହୋଇଥିବା ନିୟମାବଳୀ ସମ୍ପର୍କରେ ସୂଚନା ଦେବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ପ୍ରକଳ୍ପର ଖର୍ଚ୍ଚ ଅଟକଳ ଏବଂ କେବେ ସୁଦ୍ଧା ଏହି ବନ୍ଦର ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ମୁହାଣ ଚୌମୁଖ ଠାରେ ଏକ ଅଣ-ବୃହତ ବନ୍ଦର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଏହି ବନ୍ଦରର ବିକାଶ ନିମନ୍ତେ କ୍ରିଏଟିଭ ପୋର୍ଟ ଡେଭେଲପମେଂଟ ଲିମିଟେଡ (ସମ୍ପ୍ରତି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ)ଙ୍କ ସହିତ ରାଜ୍ୟ ସରକାର ଗତ ୨୦୦୮ ମସିହା ଜାନୁଆରୀ ୧୧ ତାରିଖରେ ଏକ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ସରକାରୀ ଘରୋଇ ସହଭାଗିତା (ପବ୍ଲିକ – ପ୍ରାଇଭେଟ ପାର୍ଟନରସିପ୍) ଆଧାରରେ କରାଯାଉଛି । ରାଜ୍ୟ ସରକାରଙ୍କ ସହିତ ହୋଇଥିବା ରିହାତି ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ବନ୍ଦରର ବିକାଶ କାର୍ଯ୍ୟ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା କରୁଅଛି । ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ୯୬୧.୧୮୦ ଏକର ସରକାରୀ ଜମି ମଧ୍ୟରୁ ୬୯୨.୬୮୦ ଏକର ଜମି ବନ୍ଦର ବିକାଶ ସଂସ୍ଥାକୁ ସରକାର ହସ୍ତାନ୍ତର କରି ସାରିଛନ୍ତି । ଆବଶ୍ୟକୀୟ ଅବଶିଷ୍ଟ ଜମି ହସ୍ତାନ୍ତର କାର୍ଯ୍ୟ ବିଭିନ୍ନ କାରଣ ପାଇଁ ସମ୍ଭବ ହୋଇପାରିନାହିଁ । ଏ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ବନ୍ଦରକୁ ସଡକ ଓ ରେଳ ପଥ ଦ୍ୱାରା ସଂଯୋଗ କରିବା ଦିଗରେ ଆବଶ୍ୟକୀୟ ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଥମ ପର୍ଯ୍ୟାୟ ବିକାଶ ନିମନ୍ତେ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨୩୪୫ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ୧୨ଟି ବର୍ଥ ସମ୍ବଳିତ ଏହି ବନ୍ଦର ପ୍ରତିଷ୍ଠା ମାଧ୍ୟମରେ ବାର୍ଷିକ ୨୫ ମିଲିୟନ ମେଟ୍ରିକ ଟନରୁ ୫୫ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

