ନୂଆଦିଲ୍ଲୀ : ସେୟାର ବଜାରରେ ପ୍ରଳୟ । ୨,୭୦୦ ପଏଣ୍ଟ ଖସିଲା ସେନସେକ୍ସ । ବୁଡ଼ିଲା ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା । ସେନସେକ୍ସରେ ବଡ଼ ଧରଣର ହ୍ରାସ । ଭାରତୀୟ ସେୟାର ବଜାର ଉପରେ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତିର ଗଭୀର ପ୍ରଭାବ । ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୨,୭୦୦ ପଏଣ୍ଟରୁ ଅଧିକ ତଳକୁ ଖସିଯାଇଛି। ଆମେରିକା ଓ ଇସ୍ରାଏଲ୍ ର ଇରାନ ଉପରେ ଆକ୍ରମଣ ଏବଂ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଖବର ପରେ ବିଶ୍ୱ ବଜାରରେ ଆତଙ୍କ ଖେଳିଯାଇଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେନସେକ୍ସ ସହ ନିଫ୍ଟି ମଧ୍ୟ ୫୦୦ ପଏଣ୍ଟରୁ ଅଧିକ ତଳକୁ ଖସିଛି ।
ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ୫% ରୁ ଅଧିକ ବଢ଼ିଥିବାରୁ ଅଟୋମୋବାଇଲ୍, ପେଣ୍ଟ୍ ଏବଂ ବିମାନ ଚଳାଚଳ କ୍ଷେତ୍ରର ଶେୟାର ଗୁଡ଼ିକରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସେହିପରି ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିଛି । ଯାହା ଏବେ ୯୧.୨୯ ରେ ପହଞ୍ଚିଛି । ତେବେ କେବଳ ପ୍ରତିରକ୍ଷା କ୍ଷେତ୍ରର ଶେୟାର ଯେମିତିକି HAL ଏବଂ BEL ଭଳି କମ୍ପାନୀଗୁଡ଼ିକର ଦର ବୃଦ୍ଧି ପାଇଛି ।

