ତିହିଡି, ୦୨.୦୩: ଦୋଳପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ କୃଷ୍ଣ ବଳରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ଦୌଲତପୁର ଗାଁ ଉତ୍ସବ ମୁଖର ହୋଇଛି । ତିନିଦିନ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମରେ ଭକ୍ତିପୁତ ମନୋଭାବ ପରିଲକ୍ଷିତ ହୋଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ସହ ପ୍ରସାଦ ସେବନ କରି ଭକ୍ତମାନେ ସାନିଧ୍ୟଲାଭ କରିଛନ୍ତି । ପାରମ୍ପରିକ ବାଜା ରୋଷଣୀ ଓ ନୃତ୍ୟ ସଂଗୀତର ତାଳେତାଳେ ଶନିବାର ପୂର୍ବାହ୍ନରେ ପାଞ୍ଚ ଶହରୁ ଉର୍ଦ୍ଧ ଗ୍ରାମବାସୀ ସମ୍ମିଳୀତ ଭାବେ କଳସ ଶୋଭାଯାତ୍ରାରେ ବାହାରିଥିଲେ । ପରେ ମହାଯଜ୍ଞ ସ୍ଥଳରେ କଳସ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ରବିବାର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯିବା ପରେ ବିଗ୍ରହମାନଙ୍କୁ ଗ୍ରାମ ଓ ବଜାର ପରିକ୍ରମଣ କରାଯାଇ ଶେଷରେ ମନ୍ଦିରରେ ବିଜେ କରାଯାଇଥିଲା । ସୋମବାର ଗୋଧୂଳିବେଳାରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା ଯାହାକୁ ଦର୍ଶନ କରିବା ଲାଗି ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଗାଁର ୬୦ ବର୍ଷରୁ ଉର୍ଦ୍ଧ ହେବ ଯାଦବ ପରିବାର ପକ୍ଷରୁ କୃଷ୍ଣ ବଳରାମଙ୍କୁ ପୂଜା କରାଯାଉଛି ଏବଂ ୪ ବର୍ଷ ତଳେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା । ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଅକୁଷ୍ଠିତ ଆର୍ଥିକ ସହାୟତାରେ ସଂପ୍ରତି ଏକ ଭବ୍ୟ ମନ୍ଦିର ସ୍ଥାପିତ ହୋଇଛି ଏବଂ ଦୋଳପୂର୍ଣ୍ଣମୀ ପୂର୍ବରୁ ଏହାର ପ୍ରତିଷ୍ଠା କରାଯାଇଛି । ଯାହାକୁ ନେଇ ଯାଦବ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖା ଦେବା ସହିତ ଗ୍ରାମରେ ଭକ୍ତିର ମାହୋଲ ସୃଷ୍ଟି ହୋଇଛି । କର୍ତ୍ତାଭାବେ ଦୁର୍ଯ୍ୟୋଧନ ବାରିକ ଓ ସୌଦାମିନୀ ବାରିକ ଏବଂ ମୁଖ୍ୟ ପୂଜକ ଗଣେଷ ମିଶ୍ରଙ୍କ ସମେତ ୫ ଜଣ ଦେବପଣ୍ଡିତ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ହରିଶ୍ଚନ୍ଦ୍ର ବାରିକ, ଶଶିକାନ୍ତ ଦାସ, ସନାତନ ବେହେରା, ସୁବାଶ ବାରିକ, ଉଗ୍ରସେନ ନାୟକ, ଅଭିମନ୍ୟୁ ବେହେରା, ଅମିୟ ବାରିକ, ଜଗବନ୍ଧୁ ବାରିକ, ନାରାୟଣ ବାରିକ, ପଞ୍ଚାନନ ଦାସ, ଭାଗିରଥି ଦାସ, ମହେନ୍ଦ୍ର ଦାସ, ହୃଷିକେଶ ବାରିକ, ଦୋଳଗୋବିନ୍ଦ ଦାସ, ରବିନ୍ଦ୍ର ଦାସ, ମାଗୁଣି ପରିହାରି, କାହ୍ନୁ ପରିହାରୀ ଓ ଶଶିକାନ୍ତ ପରିହାରୀ ପ୍ରମୁଖ ଗ୍ରାମବାସୀବୃନ୍ଦ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

