ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଅନେକ ଦେଶ ସେମାନଙ୍କର ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି । ଯାହା ବିଶ୍ୱ ବିମାନ ଚଳାଚଳ ଉପରେ ଗୁରୁତର ପ୍ରଭାବ ପକାଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି । ଇରାନର ସୁପ୍ରିମ ଲିଡର ଆୟୁତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ମ୍ତ୍ୟୁ ପରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି । ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢୁଥିବା କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ପ୍ରଭାବିତ ହୋଇଛି । ଅନେକ ବିମାନ ବାତିଲ ହେବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।
ଏହାରି ଭିତରେ ଏୟାର ଇଣ୍ଡିଆ ଘୋଷଣା କରିଛି ଯେ, ୨ ମାର୍ଚ୍ଚ ରାତି ୧୧:୫୯ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ, ଇସ୍ରାଏଲ ଏବଂ କତାରକୁ ସମସ୍ତ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ । ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିମାନ କମ୍ପାନୀର ସରକାରୀ ୱେବସାଇଟ୍ କିମ୍ବା କଷ୍ଟମର କେୟାର ମାଧ୍ୟମରେ ବିମାନବନ୍ଦରକୁ ଯିବା ପୂର୍ବରୁ ଏୟାରଲାଇନ୍ ଷ୍ଟାଟସ୍ ଯାଞ୍ଚ କରିବାକୁ ଅନୁରୋଧ କରିଛି । ପରିସ୍ଥିତି ସମୀକ୍ଷା କରିବା ପରେ ହିଁ ଏହି ସେବା ଗୁଡ଼ିକର ପୁନଃଆରମ୍ଭ ବିଷୟରେ ବିଚାର କରାଯିବ ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷ ଏବଂ ସମ୍ପ୍ରତି କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଆକାଶ ମାର୍ଗ ଅସୁରକ୍ଷିତ ହୋଇଯାଇ ଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଦେଶ ସେମାନଙ୍କର ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି । ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଆଖିରେ ରଖି ଏୟାର ଇଣ୍ଡିଆ ଏହି ରୁଟ୍ ଗୁଡ଼ିକରେ କାର୍ଯ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏୟାର ଇଣ୍ଡିଆ ରବିବାର ୫୦ ଟି ଆନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଛି।
ୟୁଏଇର ଦୁବାଇ ଏବଂ ଆବୁଧାବି, ସାଉଦି ଆରବର ରିୟାଦ, ଜେଦ୍ଦା ଏବଂ ଦମ୍ମାମ, କତାରର ଦୋହା ଏବଂ ଇସ୍ରାଏଲର ତେଲ ଅଭିଭ ଅନ୍ତର୍ଭୁକ୍ତ । କମ୍ପାନୀ ପୁନଃ-ବୁକିଂ, ବିକଳ୍ପ ଯାତ୍ରା ବ୍ୟବସ୍ଥା ଏବଂ ସମ୍ଭବ ହେଲେ ରିଫଣ୍ଡରେ ମଧ୍ୟ ସହାୟତା କରୁଛି । ଯାତ୍ରୀମାନେ ସେମାନଙ୍କର ଟିକେଟ୍ ବାତିଲ କରିପାରିବେ ଏବଂ ସମ୍ପୂର୍ଣ୍ଣ ଫେରସ୍ତ ପାଇପାରିବେ । କୌଣସି ଅତିରିକ୍ତ ଶୁଳ୍କ ବିନା ଯାତ୍ରା ତାରିଖ ପରିବର୍ତ୍ତନ କରାଯାଇପାରିବ ।

