ତିହିଡି, ୦୧.୦୩: ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତାଳପଦା ଗାଁରୁ ପୋଲିସ ପକ୍ଷରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି । ଏଥିସହ ପୋଚ ମଧ୍ୟ ନଷ୍ଟ କରାଯାଇଛି । ପୋଲିସ ପକ୍ଷରୁ ଏପରି ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ କୌଣସି ଫରକ୍ ପଡୁନଥିବା ବଡ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସର ଚଢଉ ସମୟରେ ଅଧିକାଂଶ ସମୟରେ ଅଭିଯୁକ୍ତମାନେ ଖସି ପଳେଇ ଯାଉଛନ୍ତି ଏବଂ କିଛିଦିନ ପରେ ପୂନଶ୍ଚ ବେପାର ପସରା ମେଲାଉଛନ୍ତି । ଗତକାଲି ଚଢଉ ସମୟରେ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଥିବା ବେଳେ ମାଟିତଳେ ପୋତା ଯାଇଥିବା ପୋଚକୁ ନଷ୍ଟ କରାଯାଇଛି । ଅଭିଯୁକ୍ତମାନେ ବିଲ ଓ ଘଂଚ ବାଡି ଭିତରେ ତିଆରି କରୁଥିବାରୁ ଦୋଷୀଙ୍କୁ ଗିରଫ କରିବା ମଧ୍ୟ କଷ୍ଟକର ହେଉଛି । ତେବେ ଆସନ୍ତା ଐତିହାସିକ କାଳୀମେଘା ମେଳନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ଚଳିତ ବର୍ଷ ମେଳନରେ ଡିଜେ ବାଜିବ ନାହିଁ ବୋଲି ମେଳନ କମିଟିର ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ବେଳେ ତାଳପଦାରେ ପୋଲିସର ଏପରି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି ।

